ଭୁବନେଶ୍ବର: ଆଉ ଆଇନ ସହ ଲୁଚକାଳି ଖେଳି ପାରିବେନି ଶ୍ରଦ୍ଧାଞ୍ଜଳି । ଏଣିକି ହାଜର ନହେଲେ କଡା ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ଅଦାଲତ । ଆସନ୍ତା ମେ' ୮ତାରିଖରେ କୋର୍ଟରେ ହାଜର ହେବାକୁ ମିଳିଲା ଡେଡଲାଇନ । ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲାରେ ମଙ୍ଗଳବାର ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ । ଯାହାକି କୋର୍ଟରେ ହାଜର ନହେବାକୁ ସମୟ ଗଡ଼ାଇ ଚାଲିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବଡ ଝଟ୍କା ଦେଇଛି । ତେଣୁ ଆସନ୍ତା ୮ତାରିଖରେ ସେ ହାଜର ହେବା ନିଶ୍ଚିତ ନଚେତ ଆଗକୁ କୋର୍ଟଙ୍କ ଆଭିମୁଖ୍ୟ କ'ଣ ରହିବ ତାହା ପରେ ଜାଣିବେ ବୋଲି ଇଡି ଓକିଲ କହିଛନ୍ତି ।
ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ଇଡି କୋର୍ଟରେ ଚାର୍ଜସିଟ୍ ଦାଖଲ କରିସାରିଛି । ଚାର୍ଜସିଟରେ ପ୍ରଥମ ଅଭିଯୁକ୍ତ ଅର୍ଚ୍ଚନା ନାଗ, ଦ୍ବିତୀୟରେ ସ୍ବାମୀ ଜଗବନ୍ଧୁ ଚାନ୍ଦ, ତୃତୀୟରେ ସହଯୋଗୀ ଖଗେଶ୍ବର ପାତ୍ର ସହ ଚତୁର୍ଥ ଅଭିଯୁକ୍ତ ଭାବେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମ ଉଲ୍ଲେଖ ରହିଛି । ଯେଉଁଥିରେ ଅର୍ଚ୍ଚନାର ଆର୍ଥିକ କେଳେଙ୍କାରୀର ତଦନ୍ତରୁ ମିଳିଥିବା ପ୍ରମାଣ ଆଦି ତଥ୍ୟ ଉପସ୍ଥାପନା କରାଯାଇଛି । ଏହି ମାମଲାର ଚାର୍ଜଫ୍ରେମ ହେବା ପୂର୍ବରୁ ଯେହେତୁ ଶ୍ରଦ୍ଧାଞ୍ଜଳିକୁ ଛାଡି ୩ ଅଭିଯୁକ୍ତ ଜେଲରେ ଅଛନ୍ତି, ତେଣୁ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟରେ ହାଜର ପାଇଁ ସମନ ହୋଇଥିଲା । କିନ୍ତୁ ସେ ବିଭିନ୍ନ କାରଣ ଦର୍ଶାଇ ଓକିଲ ଜରିଆରେ ସମୟ ଗଡ଼ାଇ ଚାଲିଥିଲେ ।
ଏପରିକି କୋର୍ଟରେ ହାଜର ନହେବା ପାଇଁ ସିବିଆଇ କୋର୍ଟକୁ ଚାଲେଞ୍ଜ କରି ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ ହାଇକୋର୍ଟ ତଳ କୋର୍ଟ ଅର୍ଥାତ୍ ସିବିଆଇ କୋର୍ଟରେ ପୁନଃବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଆଧାର କରି ଗତକାଲି(ମଙ୍ଗଳବାର) କୋର୍ଟରେ ମାମଲା ବିଚାର ବେଳେ ଶ୍ରଦ୍ଧାଞ୍ଜଳିଙ୍କୁ ଆସନ୍ତା ୮ରେ ତୁରନ୍ତ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।