ଭୁବନେଶ୍ବର: ପାଖେଇ ଆସୁଛି ଉପନିର୍ବାଚନ । ଝାରସୁଗୁଡ଼ା ବିଗ ଫାଇଟ ପାଇଁ ପ୍ରସ୍ତୁତ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ । ହେବାକୁ ଯାଉଛି ତ୍ରିମୁଖୀ ଲଢେଇ । ଆଉ ଏହି ତ୍ରିମୁଖୀ ଲଢେଇରେ ଆଗରେ ରହିଛି ଶାସକ ବିଜେଡି । ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଏହି ଆସନରେ ହେଉଛି ଉପନିର୍ବାଚନ । ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ କୌଶଳ ଆପଣାଇ ପ୍ରଚାର ଜାରି ରଖିଛନ୍ତି ସମସ୍ତ ଦଳର ହେଭିୱେଟ ନେତା । ତେବେ ଉପନିର୍ବାଚନରେ ସରକାରୀ ବିରୋଧି ହାୱାର ପ୍ରଭାବ ନଥାଏ । ପୂର୍ବରୁ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଗୁଡ଼ିକରେ ଏହା ପ୍ରମାଣିତ ହୋଇସାରିଛି । ତେବେ ଝାରସୁଗୁଡ଼ାରେ ଏହାର ପ୍ରଭାବ କେମିତି ରହିବ, ତାହା ଉପରେ ସମସ୍ତଙ୍କ ନଜର ।
ପ୍ରୋ ଇନ୍କମ୍ବାନ୍ସି ଫ୍ୟାକ୍ଟରରେ ନିର୍ବାଚନ ଲଢ଼ିବ ବିଜେଡି: ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଝାରସୁଗୁଡ଼ା ଉପନିର୍ବାଚନରେ କେମିତି ହେବ ଭୋଟ ସେୟାରିଂ । ୨୦୧୪ ନିର୍ବାଚନରେ ନବ ଦାସ ପାଇଥିଲେ ୫୦ ପ୍ରତିଶତ ଭୋଟ । ୨୦୧୯ରେ ସେ ପାଇଥିଲେ ୫୫ ପ୍ରତିଶତ ଭୋଟ । ଏବେ ୨୦୨୩ରେ କଂଗ୍ରେସ ତାର ଭୋଟ ବ୍ୟାଙ୍କକୁ କିପରି ସଂରକ୍ଷିତ ରଖୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଯଦି କଂଗ୍ରେସ ତାର ନିଜସ୍ବ ଭୋଟକୁ ସଂରକ୍ଷିତ ରଖେ, ତେବେ ଏହା ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । ପୁଣି ରହିଛି ସରକାର ବିରୋଧୀ ହାୱା । ସରକାର ବିରୋଧୀ ଭୋଟ ଯଦି ବିଜେପି ଓ କଂଗ୍ରେସ ମଧ୍ୟରେ ଭାଗ ଭାଗ ହୋଇଗଲା, ତେବେ ବିଜେଡି ନିର୍ବାଚନ ଜିତିବାର ମାର୍ଜିନ କମିବାର ସମ୍ଭାବନା ରହିଛି । କିନ୍ତୁ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ଉପ ନିର୍ବାଚନରେ ସରକାର ବିରୋଧୀ ଫ୍ୟାକ୍ଟର ରହେ ନାହିଁ । ବିଜେଡି ପ୍ରୋ ଇନ୍କମ୍ବାନ୍ସି ଫ୍ୟାକ୍ଟରରେ ନିର୍ବାଚନ ଲଢ଼ିବ । ଏହାରି ଭିତରେ ବିଜେଡି ମୁଖପାତ୍ର ଦୃଢ଼ତାର ସହିତ କହିଛନ୍ତି ଝାରସୁଗୁଡ଼ା ଉପନିର୍ବାଚନ ଏକ ପାଖିଆ ହେବ ଏବଂ ବିଜେଡି ଜିତିବ ।
କଂଗ୍ରେସ ଭୋଟ ବ୍ୟାଙ୍କ ଉପରେ ନଜର: ଅନ୍ୟପଟେ ପୂର୍ବ ନିର୍ବାଚନରେ କଂଗ୍ରେସ ହରାଇଥିଇବା ୩୪ ପ୍ରତିଶତ ଭୋଟରୁ ୧୭ ପ୍ରତିଶତ ବିଜେପି ଏବଂ ୧୭ ପ୍ରତିଶତ ବିଜେଡି ହାତକୁ ଚାଲିଯାଇଥିଲା । ଏଥର ଯଦି କଂଗ୍ରେସ ନିଜ ଭୋଟ ଫେରି ପାଇବା ସହିତ ଆଉ କିଛି ଭୋଟ ବିଜେଡି ଖାତାରୁ ନେଇଆସେ, ତେବେ କଂଗ୍ରେସ ମଧ୍ୟ ଭଲ ସ୍ଥିତିକୁ ଆସିପାରେ । କଂଗ୍ରେସ ଯଦି ବିଜେପିରୁ ୧୭ ପ୍ରତିଶତ ଭୋଟ ଫେରାଇ ଆଣେ କଂଗ୍ରେସକୁ ଜିତିବାରେ ଏହା ସହାୟକ ହେବ । ବଡ଼କଥା ହେଲା ସ୍ବର୍ଗତ ବୀରେନ୍ଦ୍ର ପାଣ୍ଡେ ୩ ଥର ଏହି ଆସନରୁ ଜିତିଛନ୍ତି । ଏବେ ତାଙ୍କ ପୁଅ ତରୁଣ ପାଣ୍ଡେ ଛିଡ଼ା ହୋଇଛନ୍ତି । ନବ ଦାସ ମଧ୍ୟ ୨ ଥର କଂଗ୍ରେସରୁ ଜିତିଛନ୍ତି । ତେଣୁ କଂଗ୍ରେସର ନିଜସ୍ବ ଭୋଟ ବ୍ୟାଙ୍କ ରହିଛି । କଂଗ୍ରେସ ଯଦି ନିଜସ୍ବ ଭୋଟ ବ୍ୟାଙ୍କକୁ ସଂରକ୍ଷିତ ରଖିପାରେ, ଏହା ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।