ଓଡିଶା

odisha

ETV Bharat / state

ସରିଲା ଚିିଲିକାରେ ପକ୍ଷୀ ଗଣନା, ପୂର୍ବ ବର୍ଷ ତୁଳନାରେ କମିଛି ପକ୍ଷୀଙ୍କ ସମାଗମ - ଚିଲିକାରେ ପକ୍ଷୀ ଗଣନା ଖବର

ସରିଲା ଚିଲିକାରେ ପକ୍ଷୀ ଗଣନା (annual bird counting exercise over in chilika) ।ଗତ ବର୍ଷ ତୁଳନାରେ ଏ ବର୍ଷ କମ ପକ୍ଷୀଙ୍କ ସମାଗମ ହୋଇଥିବା ଗଣନା ରିପୋର୍ଟ କହିଛି । ପୂର୍ବ ବର୍ଷ ୧୨ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀଙ୍କ ସମାଗମ ହୋଇଥିବାବେଳେ ଏବର୍ଷ ତାହା ୧ ଲକ୍ଷ ୮୬ ହଜାର ୬୫୩ ଅର୍ଥାତ ୧୬ ପ୍ରତିଶତ ହ୍ରାସ ପାଇଛି । ଅଧିକ ପଢନ୍ତୁ

ସରିଲା ଚିିଲିକାରେ ପକ୍ଷୀ ଗଣନା
ସରିଲା ଚିିଲିକାରେ ପକ୍ଷୀ ଗଣନା

By

Published : Jan 5, 2022, 8:43 AM IST

ଖୋର୍ଦ୍ଧା: ସରିଲା ଚିଲିକାରେ ପକ୍ଷୀ ଗଣନା (annual bird counting exercise over in chilika) । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଙ୍ଗଳବାର ପକ୍ଷୀ ଗଣନା ଶେଷ ହୋଇଛି । ଚଳିତ ବର୍ଷ ୧୦ଲକ୍ଷ ୭୪ହଜାର ୧୭୩ ଦେଶୀ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ଗତ ବର୍ଷ ତୁଳନାରେ ଏ ବର୍ଷ କମ ପକ୍ଷୀଙ୍କ ସମାଗମ ହୋଇଥିବା ଗଣନା ରିପୋର୍ଟ କହିଛି । ପୂର୍ବବର୍ଷ ୧୨ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀଙ୍କ ସମାଗମ ହୋଇଥିବାବେଳେ ଏବର୍ଷ ତାହା ୧ ଲକ୍ଷ ୮୬ ହଜାର ୬୫୩ ଅର୍ଥାତ ୧୬ ପ୍ରତିଶତ ହ୍ରାସ ପାଇଛି ।

ସରିଲା ଚିିଲିକାରେ ପକ୍ଷୀ ଗଣନା, ପୂର୍ବ ବର୍ଷ ତୁଳନାରେ କମିଛି ପକ୍ଷୀଙ୍କ ସମାଗମ

ଶୀତ ଋତୁ ଆସିଲେ ଖାଦ୍ୟ ଅନ୍ବେଷଣରେ ହଜାର ହଜାର ମାଇଲ ଦୂର ଅତିକ୍ରମ କରି ଚିଲିକାକୁ ଚାଲି ଆସିଥାନ୍ତି ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀ । ଅକ୍ଟୋବର ମାସ ଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ପକ୍ଷୀଙ୍କ ସୁରକ୍ଷା ଲାଗି ନିୟୋଜିତ ହୋଇଥାନ୍ତି ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଓ ସୁରକ୍ଷା କର୍ମୀ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜାନୁଆରୀ ମାସରେ ପକ୍ଷୀ ଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ବେ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ କମିଥିବାର ଜଣାପଡିଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଜ୍ୟୋତି କାଟାଲଙ୍କ ସୂଚନା ମୁତାବକ ଚଳିତ ବର୍ଷ ଚିଲିକାରେ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ପକ୍ଷୀ ଆସିଛନ୍ତି। ଯାହାକି ଗତ ବର୍ଷ ୧୨ ଲକ୍ଷ ୪୨ ହଜାର ୮୨୬ ରୁ ବହୁତ୍ କମ ।

ଗତବର୍ଷ ସମୁଦାୟ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ହଜାର ୮୨୬ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୧୧ ପ୍ରଜାତିର ୧୨ ଲକ୍ଷ ୦୪ ହଜାର ୩୫୧ ଗୋଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୪ ଶହ ୭୫ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ। ଚଳିତବର୍ଷ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ ଲକ୍ଷ ୩୬ ହଜାର ୨୨୦ ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ରହିଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ପାଞ୍ଚବର୍ଷର ଗଣନା ତାଲିକାକୁ ଦେଖିଲେ ୨୦୦୮ ମସିହାରେ ସବୁଠୁ କମ ପକ୍ଷୀଙ୍କ ସମାଗମ ହୋଇଥିଲା । ସେ ବର୍ଷ ୮ ଲକ୍ଷ ୯୩ ହଜାର ୩୯୦ ଥିଲା ।

ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଛି । ଏହି ଗଣନାରେ ୨୧ଟି ଟିମ ନିୟୋଜିତ ହୋଇଥିଲେ । ପ୍ରତି ଟିମରେ ୫ ଜଣ ସଦସ୍ୟ ରହିଥିଲେ । ଟାଙ୍ଗୀ ଜୋନରେ ୭ଟି ଟିମ ଜଳଭାଗ ଓ ଗୋଟିଏ ଟିମ୍ ସ୍ଥଳ ଭାଗରେ, ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି, ରମ୍ଭାରେ ୨ ଟି ଏବଂ କୃଷ୍ଣପ୍ରସାଦରେ ୩ ଟି ଟିମ ନିୟୋଜିତ ରହିଥିଲେ । ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକିଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଇଥିଲା । ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସ ସାମିଲ ହୋଇଥିଲେ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details