ଖୋର୍ଦ୍ଧା: ପକ୍ଷୀଙ୍କ ଭୂସ୍ବର୍ଗ ଚିଲିକାରେ ଆଜିଠୁ ଶୀତକାଳୀନ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ 6ଟାରୁ ଆରମ୍ଭ ହୋଇଛି ଗଣନା କାର୍ଯ୍ୟ । ମୋଟ 21ଟି ଟିମ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଚିଲିକାକୁ ଚଳିତ ଶୀତ ଋତୁରେ କେତେ ବିଦେଶୀ ପକ୍ଷୀ ଆସିଛନ୍ତି ଓ କେତେ ଦେଶୀ ପକ୍ଷୀ ଏଠାରେ ରହିଛନ୍ତି, ତାହା ଗଣନା କରାଯିବ । ପକ୍ଷୀ ଗଣନା ପାଇଁ ଚିଲିକାକୁ 5ଟି ଜୋନରେ ବିଭକ୍ତ କରାଯାଇଛି । ଟାଙ୍ଗୀ ଜୋନରେ 8ଟି ଟିମ, ବାଲୁଗାଁରେ 5, ସାତପଡ଼ାରେ 3 ଏବଂ ରମ୍ଭା ଓ କୃଷ୍ଣପ୍ରସାଦ ଜୋନରେ ଅବଶିଷ୍ଟ 5ଟି ଟିମ ନିୟୋଜିତ ହୋଇ ପକ୍ଷୀ ଗଣନା ଜାରି ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଆସନ୍ତା 4ରୁ ଚିଲିକାରେ ପକ୍ଷୀ ଗଣନା, 21ଟି ଟିମ୍ ହେବେ ନିୟୋଜିତ
ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ବୁଧବାର ପକ୍ଷୀ ପ୍ରଶିକ୍ଷଣ ଦିଆଯାଇଥିଲା । ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀ ଗଣନା ଜାରି ରହିଛି । ଆଜି ସକାଳୁ ଘନ କୁହୁଡା ସତ୍ତ୍ୱେ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିଛି । ଏହି ପକ୍ଷୀ ଗଣନା କାର୍ଯ୍ୟରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ପକ୍ଷୀ ସୁରକ୍ଷା ସମିତି କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ସାମିଲ ହୋଇଛନ୍ତି । ଜିପିଏସ ଓ ବାଇନାକୁଲାର ବ୍ୟବହାର କରାଯାଇ ପକ୍ଷୀ ଗଣନା କରାଯାଉଥିବା ଦେଖିବାକୁ ମିଳିଛି । ସକାଳ 6ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଦିନ 12 ପର୍ଯ୍ୟନ୍ତ ଚାଲିବ । ଉଭୟ ସ୍ଥଳ ଓ ଜଳରେ ଚଳିତ ବର୍ଷ କେତେ ପକ୍ଷୀ ଚିଲିକାକୁ ଆସିଛନ୍ତି ତାହା ଗଣନା କରାଯିବ ।