ଖୋର୍ଦ୍ଧା: ଫେଲ ମାରିଛି ସରକାରୀ ଯୋଜନା। ଅନ୍ନପୂର୍ଣ୍ଣା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଚାଉଳ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ବାଘମାରୀ ଗ୍ରାମରେ ଏଭଳି ଅଭିଯୋଗ ହୋଇଛି। ଗାଁର ଜଣେ ଅସହାୟ ବୃଦ୍ଧାଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ ମିଳୁନାହିଁ। ଏନେଇ ସ୍ଥାନୀୟ ବିଡିଓଙ୍କଠାରୁ ଆରମ୍ଭ କରି ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା କିଛି ଲାଭ ହେଉନି। ଓଲଟା ସରକାରୀ ବାବୁ ଆସି ଅସହାୟ ବୃଦ୍ଧାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ବାଘମାରୀ ଗ୍ରାମର ବିଧବା ବୃଦ୍ଧା ନୀଳମଣି ପଣ୍ଡାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ହୋଇ ପଡ଼ିଛନ୍ତି । ନୀଳମଣିଙ୍କ ପୁଅ ଝିଅ କେହି ନାହାନ୍ତି । ଫଳରେ ପରିଣତ ବୟସରେ ଏକାକୀ ଦିନ କାଟୁଛନ୍ତି ନୀଳମଣି । ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ ମୁଠାଏ ପାଇଁ ବିଡିଓଙ୍କ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କିଛି ଲାଭ ହୋଇନି। ବାରମ୍ବାର ପ୍ରସାଶନିକ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ଶେଷରେ ସ୍ଥାନୀୟ ସୂଚନା ଅଧିକାର ଆଇନର ଆଶ୍ରୟ ନେଇଥିଲେ। ହେଲେ ଏହାପରେ ବ୍ଲକରେ କାର୍ଯ୍ୟରତ ଯୋଗାଣ ବିଭାଗ ଅଧିକାରୀ ସମ୍ପୃକ୍ତ ବୃଦ୍ଧାଙ୍କ ଘରେ ପହଞ୍ଚି ତାଙ୍କୁ ଦୁର୍ବ୍ୟହାର କରିଥିବା ଅଭିଯୋଗ ହୋଇଛି।