ଭୁବନେଶ୍ବର: ବିଭିନ୍ନ ଦାବି ନେଇ ରାଜଧାନୀରେ ଦିନରାତି ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ(Anganwadi Workers Protest) । ୨୧ ନଭେମ୍ବରରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ୩୦ ଦିନରେ ପହଞ୍ଚିଥିଲେ ହେଁ ସେମାନଙ୍କ ଦାବି ପୂରଣ ହୋଇନି । ୮ ଦଫା ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନର ପ୍ରଭାବ ସିଧାସଳଖ କୋମଳମତି ଶିଶୁଙ୍କ ଉପରେ ପଡୁଛି । ଦାବି ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଧାରଣା ଉଠିବେ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଥିବା ବେଳେ ଏପଟେ ଛୋଟ ଛୁଆ ଖାଇବା ପାଇଁ ଆସୁଥିବା ଛତୁଆ ଗାଁ ଦାଣ୍ଡରେ ପଡ଼ି ପଡ଼ି ନଷ୍ଟ ହେବାରେ ଲାଗିଲାଣି ।
କେଉଁଠି କୁକୁର ଛତୁଆ ଖାଉଛି ତ ଆଉ କେଉଁଠି ଛେଳି ଖାଉଛି । କେତେକ ସ୍ଥାନରେ ଛତୁଆ ପ୍ୟାକେଟ ଖୋଲାରେ ପଡି ନଷ୍ଟ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସେହିପରି ଶିଶୁମାନଙ୍କ ପାଠପଢା ବ୍ୟାହତ ହେବା ଯୋଗୁଁ ଅଭିଭାବକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହାକୁ ନେଇ ଧାରଣାରତ ଅଙ୍ଗନୱାଡ଼ି କର୍ମୀ କହିଛନ୍ତି ଯେପର୍ଯ୍ୟନ୍ତ ଦାବି ପୂରଣ ନ ହେଇଛି ସେପର୍ଯ୍ୟନ୍ତ ସେମାନେ ଧାରଣାସ୍ଥଳରୁ ଉଠିବେ ନାହିଁ ।
ବିଭିନ୍ନ ଅଞ୍ଚଳରେ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଗଦା ଗଦା ଛତୁଆ ପଡ଼ିରହିଛି । ଯେତେବେଳେ ଅଙ୍ଗନୱାଡ଼ି କର୍ମୀମାନେ ଛତୁଆ ଓ ଅଣ୍ଡା ବଣ୍ଟନ କରିଥାଆନ୍ତି ତାହା ସାଧାରଣତଃ ୫ ତାରିଖ ମଧ୍ୟରେ ଶେଷ ହୋଇଥାଏ । ବର୍ତ୍ତମାନ ୧ ତାରିଖରୁ ୧୯ ତାରିଖ ହେଲାଣି ତଥାପି ଛତୁଆ ବଣ୍ଟା ଯାଇନାହିଁ । ସରକାର ଅପପୃଷ୍ଟି ରୋକିବା ପାଇଁ ଛତୁଆ ଦେଉଛନ୍ତି । ତେବେ ଦାବି ପୂରଣ ହେଲେ ସମସ୍ତେ କର୍ମ କ୍ଷେତ୍ରକୁ ଯିବୁ ବୋଲି କହିଛନ୍ତି ଆନ୍ଦୋଳନକାରୀ କର୍ମୀ ।