ଭୁବନେଶ୍ବର:ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ରେଳ ଦୁର୍ଘଟଣା । ଘଟଣା ସ୍ଥଳରେ ଶେଷ ହୋଇଛି ରେସ୍କ୍ୟୁ ଅପରେସନ୍ । ଦୁର୍ଘଟଣାରେ ଫସିଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ କୌଣସି ବ୍ୟକ୍ତି ବଗି ତଳେ ନାହାନ୍ତି । ତଦନ୍ତ ପାଇଁ ଆଉ କିଛି ସମୟରେ ଦୁର୍ଘଟଣା ସ୍ଥଳରେ ରେଳ ସୁରକ୍ଷା କମିଶନର (CRS) ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ ସାହୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରେନ୍ ଦୁର୍ଘଟଣା ପରେ ବର୍ତ୍ତମାନ ସୁଦ୍ଧା ୪୫ଟି ଟ୍ରେନ୍ ବାତିଲ ହୋଇଛି । ୪୧ଟି ଟ୍ରେନ୍ ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇଛି । ୪ଟି ଟ୍ରେନ୍ ରିସିଡ୍ୟୁଲ ହୋଇଛି । ପୁନରୁଦ୍ଧାରରେ ୧୦ଟି ପ୍ରୋକ୍ଲେନ ମେସିନ୍, ୧୪୦ ଟନର ଗୋଟିଏ ରେଲ୍ କ୍ରେନ୍ ଓ ପ୍ରାୟ ୮୦୦ ମାନବ ସମ୍ବଳ ନିୟୋଜନ ହୋଇଛନ୍ତି । ତ୍ୱରିତ ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇଥିବା ୫ଟି କୋଚ୍କୁ ଗ୍ରାଉଣ୍ଡେଡ୍ କରାଯାଇଛି ବା ଟ୍ରାକ୍ରୁ ହଟାଯାଇଛି । ପ୍ରଥମେ ଡାଉନ୍ ଲାଇନ୍କୁ ଫିଟ୍ କରାଯିବ । ଟ୍ରାକ୍ ଫିଟ୍ ହୋଇଯିବା ପରେ ୨-୩ ଘଣ୍ଟା ପରେ ଟ୍ରାକ୍ରେ ଗଡିବ ଟ୍ରେନ୍ । ଯଦି ନିର୍ଦ୍ଧାରିତ ସମୟ ଭିତରେ ଟ୍ରାକ୍ ଫିଟ୍ ନହୋଇପାରିବ, ତେବେ ଆଉ କିଛି ଟ୍ରେନର ମାର୍ଗ ପରିବର୍ତ୍ତନ ହୋଇପାରେ । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଟ୍ରାକ୍ ଫିଟ୍ ହୋଇଯିବ ବୋଲି ଆଶା କରାଯାଉଛି ।