ଖୋର୍ଦ୍ଧା:ଜମିଜମା ରେକର୍ଡ ସଂଶୋଧନ ଦାବିରେ ରାସ୍ତାକୁ ଓହ୍ଲାଇଲା ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟି । ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟି ସଦସ୍ୟ । ଏହି ବିକ୍ଷୋଭ ପ୍ରଦର୍ଶନରେ ନରଣଗଡ, ନିଜିଗଡ ତାପଙ୍ଗ, ଧଉଳିମୁହଁ ତିନି ପଞ୍ଚାୟତ ୧୫ଖଣ୍ଡ ଗ୍ରାମର ୫ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ସାମିଲ ହୋଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ସେମାନଙ୍କ ଜମିର ସତ୍ତ୍ବାଧିକାର ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର କରାଯିବାକୁ ଦାବି କରିଛନ୍ତି । ଦୀର୍ଘ ବର୍ଷ ଧରି ସରକାରଙ୍କ ନିକଟରେ ଏନେଇ ଦାବି ସତ୍ତ୍ବେ ଏଥିପ୍ରତି ଗୁରୁତ୍ବ ଦିଆଯାଉନାହିଁ । ଫଳରେ ଗ୍ରାମବାସୀ ଜମିଜମା ବିକ୍ରି ଓ ଅନନ୍ୟା ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏନେଇ ଗତକାଲି ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ତହସିଲର ନିଜିଗଡ଼ତାପଙ୍ଗ, ଝିଙ୍କିଝାରୀ, ଦୁର୍ଗାପ୍ରସାଦ, ଜଗନ୍ନାଥପୁର, ନରଣଗଡ଼ , ଭୋଗପୁର, ଭଗବାନପୁର, କୁରୁମପଡ଼ା, ହାଡ଼ପଦା, କଞ୍ଚିଲେ, ମେଦିନି,ବଳପୁର, ଧବଳପୁର, ଓରକୂଳ ପ୍ରମୁଖ ଗ୍ରାମର ଜମିପଟା ବନ୍ଦୋବସ୍ତ ଜରିଆରେ ସଂଶୋଧନ ପାଇଁ ଦାବି ଜୋର ଧରିଛି । ଏହି ସମସ୍ତ ଗ୍ରାମ ଗୁଡ଼ିକରେ ପାଇକ ବିଦ୍ରୋହ ପାଦଚିହ୍ନ ରହିଛି ।
ଏଠାକାର ବୀର ପାଇକଙ୍କ ବିରୋଧ ଫଳରେ ଇଂରେଜ ସରକାର ୧୮୧୭ରୁ ୧୮୨୭ ମସିହା ପର୍ଯ୍ୟନ୍ତ ଖଜଣା ଆଦାୟରେ ବିଫଳ ହୋଇଥିଲା । ଫଳରେ ୧୮୫୮ ମସିହାରେ ତାପଙ୍ଗ ଓ ୧୮୬୩ ମଧ୍ୟରେ ଏଖାରତମାହଲ ଅଧିନରେ ଥିବା ଜମି ଗୁଡ଼ିକ ଶ୍ରୀମନ୍ଦିର ପରିଚାଳନା ସୁପରିଟେଣ୍ଡେଣ୍ଟ ନାମରେ ରେକର୍ଡ଼ ଭୁକ୍ତ ହୋଇଥିଲା । ଏହି ଜମିର ମାଲିକ ମନ୍ଦିର ପ୍ରଶାସନ, ମାତ୍ର ପ୍ରଜାସତ୍ଵ ଉପରେ କୌଣସି ହସ୍ତକ୍ଷେପ ମନ୍ଦିର ପ୍ରଶାସନ ନ କରିବାକୁ କୁହାଯାଇଥିଲା । ୧୯୭୪ ମାର୍ଚ୍ଚ ୧୮ ତାରିଖରେ ଓଡ଼ିଶାରେ ଜମିଦାର ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହୋଇଥିଲା ।