ଭୁବନେଶ୍ବର: 'ପ୍ରିୟେ ତୁ ମୋ ସିଏ'କୁ ନେଇ ଶିରୋନାମାରେ ରହିଛନ୍ତି ଓଲିଉଡ ଅଭିନେତା ଅମ୍ଲାନ ଦାସ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ । 'ପ୍ରିୟେ ତୁ ମୋ ସିଏ' ସହ ପ୍ରଥମଥର ପାଇଁ ବଡ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି ଅମ୍ଲାନ ଏବଂ ଏଲିନା । ଏହି ଯୋଡ଼ିଙ୍କ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ଫିଲ୍ମଟି ଜୁନ୍ ୨୯ ଅର୍ଥାତ ବାହୁଡାରେ ସାରା ଓଡ଼ିଶାରେ ରିଲିଜ ହେବ । ଫିଲ୍ମ ରିଲିଜ ତାରିଖ ଘୋଷଣା ପରେ ଫ୍ୟାନ୍ସ ଏହି ଯୋଡିକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ଭୁବନେଶ୍ବର ସ୍ଥିତ ଏକ ଘରୋଇ ହୋଟେଲରେ ପ୍ରଯୋଜନା ସଂସ୍ଥା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ଅବସରରେ ପ୍ରଯୋଜିକା ଝିଲ୍ଲିକ୍ ଭଟାଚ୍ଚାର୍ଯ୍ୟ କହିଛନ୍ତି ଯେ, “ଆସନ୍ତା ଜୁନ୍ ୨୯ରେ ଓଡ଼ିଶାର ୩୦ରୁ ଊର୍ଦ୍ଧ୍ୱ ସିନେମାହଲରେ ରିଲିଜ କରିବ ଏହି ଫିଲ୍ମ”। ଏହି ଫିଲ୍ମରେ ଲଭ କେମେଷ୍ଟ୍ରିକୁ ନେଇ ଏକ ନୂଆ ଏକ୍ସପେରିମେଣ୍ଟ୍ କରାଯାଇଛି । ଫିଲ୍ମରେ ୯୦ ଦଶକର ପ୍ରେମ କାହାଣୀକୁ ନିଆରା ଢଙ୍ଗରେ ଦର୍ଶାଯାଇଛି । ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବେ ଦର୍ଶକ । ଏଥିସହ ଅଭିନେତା ବବି ମିଶ୍ରଙ୍କୁ ମଧ୍ୟ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ପ୍ରେସମିଟରେ ଅମ୍ଳାନ, ଏଲିନା ଓ ବଵି ମିଶ୍ରଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ, କାର୍ଯ୍ୟକାରୀ ପ୍ରଯୋଜକ ଅରୁଣ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ଫିଲ୍ମର କାହାଣୀ କହିବାକୁ ଗଲେ, ଫିଲ୍ମଟି ଏକ ଲଭ ଷ୍ଟୋରୀ ଉପରେ ଆଧାରିତ ଫିଲ୍ମ । ଏହି ସିନେମାରେ ସେହି ପ୍ରେମ ପରିଭାଷାକୁ ବୁଝାଯାଇଛି । ଯେଉଁଠି ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ ହୋଇଥିଲେ ମଧ୍ୟ ଗରୀବ ପୁଅକୁ ମନ ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା ? ନିଆରା ପ୍ରେମ, ପ୍ରତିଶ୍ରୁତିକୁ ନେଇ ସୁନ୍ଦର ଲଭଷ୍ଟୋରୀକୁ ନେଇ ଫିଲ୍ମ ନିର୍ମିତ ହୋଇଛି । କାହାଣୀରେ ଭରି ରହିଛି ଓଡ଼ିଆ ଛୁଙ୍କ ।