ଭୁବନେଶ୍ବର: ଗୁଜରାଟରେ ଆସୁଛି ବଡ଼ 'ବିପର୍ଯ୍ୟୟ' । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୧୭ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା । ଯାହାକୁ ବର୍ତ୍ତମାନ ପାଇଁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ପୁଣିଥରେ ଶାହା କେବେ ଓଡ଼ିଶା ଆସିବେ, ତାହା ଧାର୍ଯ୍ୟ ହୋଇନାହିଁ । କିନ୍ତୁ ଆସନ୍ତା ୨୨ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଳାହାଣ୍ଡି ଆସିବାର କାର୍ଯ୍ୟକ୍ରମ ରହିଛି । ଜେପି ନଡ୍ଡାଙ୍କ ଗସ୍ତରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୧୭ ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଥିଲା । ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ର ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ସମାବେଶରେ ଉଦବୋଧନ ଦେଇଥାନ୍ତେ ଶାହା । ଏହା ସହିତ ଭାରତ ସରକାରଙ୍କ ଦ୍ବାରା ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ଭାରତ ସରକାରଙ୍କ ଦ୍ବାରା ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । ଢେଙ୍କାନାଳ ସମାବେଶରେ ଅମିତ ଶାହା ୫୦ ହଜାର ଲୋକଙ୍କୁ ଦେଇଥାନ୍ତେ ଉଦ୍ବୋଧନ । ହେଲେ ଏହି କାର୍ଯ୍ୟକ୍ରମ ଏବେ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।