ଭୁବନେଶ୍ବର: ଓଡ଼ିଆ ଭାଷା କ୍ଷେତ୍ରରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଣିକି କମ୍ପ୍ୟୁଟର ମାଧ୍ୟମରେ ଓଡ଼ିଆ ଅକ୍ଷର ଲେଖିବା ସହଜ ଓ ସରଳ ହେବ । ଯୁକ୍ତାକ୍ଷର ଓ ମାତ୍ରାଫଳ ବି ଠିକ ଆସିବ । ଏନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଆପ୍ ‘ଆମ ଲିପି’ ପ୍ରସ୍ତୁତ କରୁଛନ୍ତି । ଶ୍ରୀଲିପି ଓ ଆକୃତି ବନ୍ଦ ହେବା ପରେ ଏହି ଆପ ପ୍ରସ୍ତୁତ ନେଇ ସରକାର ଓଡ଼ିଆ ଅଧ୍ୟୟନ ଗବେଷଣା କେନ୍ଦ୍ରକୁ ୨୦୧୬ରେ ପ୍ରସ୍ତାବ ଦେଇଥିଲେ । ଏବେ ଆପ ପ୍ରସ୍ତୁତ ସରିଥିବାବେଳେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟିରେ ମଧ୍ୟ ଅନୁମୋଦିତ ହୋଇଛି। ଏବେ ପରୀକ୍ଷଣ ଜାରି ରହିଥିବାବେଳେ କାର୍ଯ୍ୟକାରିତା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।
ଏହାକୁ ନେଇ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ କହିଛନ୍ତି, ‘‘ଓଡ଼ିଆ ଅକ୍ଷର ଲେଖିବା ପାଇଁ ଯେଉଁ ସ୍ବତନ୍ତ୍ର ଆପ୍ ‘ଆମ ଲିପି’ ପ୍ରସ୍ତୁତ ହୋଇଛି । ଏଥିପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଚାଲିଛି । ଆଉ ଓଡ଼ିଆ ଲେଖିବାରେ ଏହା ବିଶେଷ ଉପଯୋଗୀ ପ୍ରତିପାଦିତ ହେବ । ତେବେ ଓଡ଼ିଆ ଲେଖିବା ନିମନ୍ତେ ରାଜ୍ୟ ସରକାର ଆଣୁଛନ୍ତି ସ୍ବତନ୍ତ୍ର ସଫ୍ଟୱେର ‘ଆମ ଲିପି’ । ବର୍ତ୍ତମାନ ଏହା ପ୍ରସ୍ତୁତ ସରିଥିବାବେଳେ ରାଜ୍ୟ ସରକାରଙ୍କ ବୈଷୟିକ ବିଭାଗକୁ ପଠାଯାଇଛି । ଯେକୌଣସି କାର୍ଯ୍ୟ ପାଇଁ ଆମେ ଓଡ଼ିଆ ଲେଖିବା ପାଇଁ ମାଧ୍ୟମ ନଥିଲା । ଶ୍ରୀଲିପି ଓ ଆକୃତି ସାହାଯ୍ୟ ଆମେ ଓଡ଼ିଆ ଲେଖୁଥିଲେ । ଏହା ୨୦୧୦ରୁ ବନ୍ଦ ହେବା ପରେ ଏହାର ନକଲ ଦ୍ବାର କାର୍ଯ୍ୟ ହେଉଛି । ତେଣୁ ଏହି ନୂଆ ୟୁନିକୋର୍ଡ ଫଣ୍ଟ ସଫ୍ଟୱେର ଦ୍ବାରା ସ୍ବତନ୍ତ୍ରଭାବେ ଓଡ଼ିଆ ଲେଖିହେବ । ଏହାଦ୍ବାରା ସ୍ବଳ୍ପ ସମୟରେ ନିର୍ଭୁଲଭାବେ କାର୍ଯ୍ୟ କରିହେବ ।