ଓଡିଶା

odisha

କାହାପାଇଁ ସରକାରୀ କ୍ବାର୍ଟର ? ଜବରଦଖଲକାରୀ କବଜାରେ ଚାଲିଛି ବେଆଇନ ବେପାର

By

Published : May 23, 2023, 6:30 AM IST

Updated : May 23, 2023, 8:23 AM IST

ସରକାରୀ ବାବୁଙ୍କୁ ଘର ଯୋଗାଇ ଦେଇଛନ୍ତି ସରକାର । ହେଲେ ବେସରକାରୀ କାମରେ ଚାଲିଛି ସରକାରୀ କ୍ବାର୍ଟର । ଅଧିକ ପଢ଼ନ୍ତୁ

illegal work at government quarters
ସରକାରୀ କ୍ବାର୍ଟରେ ବେସରକାରୀ କାର୍ଯ୍ୟ

ସରକାରୀ କ୍ବାର୍ଟରେ ବେସରକାରୀ କାର୍ଯ୍ୟ

ଭୁବନେଶ୍ବର: ରାଜଧାନୀରେ ଗତ କିଛି ଦିନ ଧରି ସରକାରୀ କ୍ବାର୍ଟରରେ ବିଭିନ୍ନ ବେଆଇନ କାର୍ଯ୍ୟ ହେଉଥିବା ଘଟଣା ଶୁଣିବାକୁ ମିଳିଛି । ଯାହା କମିଶନରେଟ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ଏନେଇ ଭୁବନେଶ୍ୱରରେ ଏକାଧିକ ସରକାରୀ କ୍ବାର୍ଟରର ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଥିଲା ଆମ ଟିମ୍‌ । ଚିତ୍ର ଏବେ ଆପଣଙ୍କ ସାମ୍ନାରେ । ଏ ହେଉଛି ରାଜମହଲ ଛକରେ ଥିବା ସରକାରୀ କ୍ବାର୍ଟର ଦୃଶ୍ୟ । କ୍ବାର୍ଟର ବାହାରେ ବେତ ବ୍ୟବସାୟୀଙ୍କ ପସରା ମେଲିଛି । ଆଉ ଭିତରେ ଚାଲିଛି ବେତ କାରଖାନା । ସରକାରୀ ବାବୁଙ୍କ ବଦଳରେ କ୍ବାର୍ଟର ଭିତରେ ରହୁଛନ୍ତି ବେତ କାରିଗର । ବେତ ସାମଗ୍ରୀ ତିଆରି ପାଇଁ ଆନୁସଙ୍ଗିକ ଜିନିଷ ମଧ୍ୟ ରହିଛି, ଯାହାକୁ ପ୍ରସ୍ତୁତ କରୁଛନ୍ତି କାରିଗର ।

ସରକାରୀ କ୍ବାର୍ଟରରେ ସରକାରୀ କର୍ମଚାରୀ ରହିବା ବଦଳରେ ସେଠାରେ ଚାଲୁଛି ଏପରି ବେସରକାରୀ କାମ । ସେହିପରି ତାର ପାଖକୁ ଲାଗିଲାଗି ଏକାଧିକ କ୍ବାର୍ଟରରେ ମଧ୍ୟ ବେସରକାରୀ କାମରେ ବ୍ୟବହାର ହେଉଛି । କିଛି କ୍ବାର୍ଟରରେ ରେଫ୍ରିଜେଟର ଲଗାଇ ଫଳ ଓ ପନିପରିବା ସାମଗ୍ରୀ ପ୍ୟାକିଂ ହେବା ସହ ସେଠାରେ ଆଉ କିଛି ଖାଦ୍ୟ ପ୍ରସ୍ତୁତକାରୀ ଦୋକାନୀ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରିବାର ଦୃଶ୍ୟ ସାମ୍ନାକୁ ଆସିଛି । ଆଉ କିଛି କ୍ବାର୍ଟରରେ ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଗୋଦାମ କରି ରଖାଯାଇଛି । ଖାଲି ସେତିକି ନୁହେଁ, ସରକାରୀ କ୍ବାର୍ଟରରେ ବିରିୟାନୀ ବ୍ୟବସାୟ ମଧ୍ୟ ଚାଲୁଛି । ଏନେଇ ସେମାନଙ୍କୁ ପଚାରିଲେ ଏକାଧିକ ଲୋକ କହିଛନ୍ତି, କେହି ରହୁନଥିବାରୁ ସେମାନେ ଆସି ରହିଥିଲେ। ପୂର୍ବରୁ ଅନେକ ଲୋକ ଘରର କବାଟ ତାଡ଼ି ନେଇଯିବା ଭଳି ପରିସ୍ଥିତି ଥିଲା । ହେଲେ ସେମାନଙ୍କ ପାଇଁ ସରକାରୀ କ୍ବାର୍ଟର ସୁରକ୍ଷିତ ଅଛି । ସେଠାରେ ଥିବା ଅନ୍ୟ କିଛି କ୍ବାର୍ଟର ଖାଲି ପଡ଼ିଥିବା ବେଳେ ପରିତ୍ୟକ୍ତ ସ୍ଥାନ ଦେଖି ନିଶାଖୋର ବ୍ୟକ୍ତି ସେଠାରେ ଆଡ୍ଡା ଜମାଉଛନ୍ତି ।

ରାଜଧାନୀରେ ନିୟମିତ ଭାବେ ପୋଲିସ ରାଜଧାନୀର ଗଳିକନ୍ଦିରେ ପାଟ୍ରୋଲିଂ କରୁଛି । କିନ୍ତୁ ରାଜମହଲ ଛକ ସାମ୍ନାରେ ଥିବା ଏହି କ୍ବାର୍ଟର ଦୃଶ୍ୟ ଉପରେ ପୋଲିସର ନଜର କିପରି ପଡ଼ିନାହିଁ, ତାହା ଏଠାରେ ବଡ଼ ପ୍ରଶ୍ନ । ଗତ ୨୧ ତାରିଖରେ ୟୁନିଟ ୮ ସ୍ଥିତ ଏକ ସରକାରୀ କ୍ବାଟରରେ ୧କୋଟି ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଥିଲା । ଏପରିକି ଏହାର କାରବାର କରୁଥିବା ଜଣେ ଅଟୋ ଗ୍ୟାରେଜ ବ୍ୟବସାୟୀ ବ୍ୟବସାୟ ଆଳରେ ସେଠାରେ ଭଡ଼ାରେ ରହୁଥିଲା । ସେହିପରି କ୍ୟାପିଟାଲ ଥାନା ୟୁନିଟ ୨ ଅଞ୍ଚଳର ଏକ ସରକାରୀ କ୍ବାର୍ଟରରେ ବାଣ ପ୍ରସ୍ତୁତ ହେଉଥିବା ବେଳେ ବିସ୍ଫୋରଣ ଘଟି ଏକ ବଡଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଥିଲା । ତେବେ ଏସବୁ ଘଟଣା ସାଧାରଣ ପ୍ରଶାସନ ବିଭାଗର ନଜରରେ ଅଛି କି ନାହିଁ, ସେ ଦିଗରେ ପୋଲିସ ମଧ୍ୟ ଅବଗତ ନାହିଁ । ଅନ୍ୟପଟେ ଏଭଳି ଘଟଣା ସାମ୍ନାକୁ ଆସିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 23, 2023, 8:23 AM IST

ABOUT THE AUTHOR

...view details