ଫାଇନାନ୍ସ ଫ୍ରଡ ନେଇ କମ୍ପାନିକୁ ଘେରିଲେ ଲୋକେ ଭୁବନେଶ୍ବର:ଭୁବନେଶ୍ୱରରେ ବଡ଼ ଧରଣର ଫାଇନାନ୍ସ ଫ୍ରଡ ! ଟାର୍ଗେଟ ପୂରଣ ପାଇଁ ଏଜେଣ୍ଟମାନେ ଲୋକମାନଙ୍କୁ ଫସାଇଥିବା ଅଭିଯୋଗ । ସେପଟେ ଫ୍ରଡ୍ ବିରୋଧରେ ତାତିଲେ ଲୋକେ । କମ୍ପାନୀର ଅଫିସ ଭିତରେ ପଶି ହଙ୍ଗାମା କରିବା ସହ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଫାଇନାନ୍ସ ଫ୍ରଡ ନେଇ କମ୍ପାନିକୁ ଘେରିଲେ ଲୋକେ ତେବେ ଅଭିଯୋଗ ଅନୁଯାୟୀ, ଗତ ଦଶହରା ସମୟରେ ସହିଦ ନଗରରେ କିଛି ମୋବାଇଲ ଦୋକାନରେ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଲୋନ୍ ଦେଇ ମୋବାଇଲ କିଣିବାକୁ ଅଫର୍ ଦେଉଥିଲେ । କିଛି ଲୋକ ଏନେଇ ଆଗ୍ରହ ଦେଖାଇବା ପରେ ସିବିଲ ସ୍କୋର୍ ଖରାପ ଥିବା ଦର୍ଶାଇ ଡକୁମେଣ୍ଟ ନେବା ସହ ଓ ଲଗ ଇନ୍ ପରେ ଆପ୍ରୁଭ ହେଲେ ଲୋନ ମିଳିବ ବୋଲି କହିଥିଲେ କିଛି ଏଜେଣ୍ଟ । ଏପରିକି କିଛି ଲୋକଙ୍କର ନୂଆ ମୋବାଇଲ ସହ ଫଟୋ ଉଠାଇବା ପରେ ସେମାନଙ୍କ ଟିପ ଚିହ୍ନ ନେଇଥିଲେ । ଏହାପରେ ନୂଆ ମୋବାଇଲ ମଧ୍ୟ ନେଇଯାଇଥିଲେ । 10 ଦିନ ପରେ ଟଙ୍କା ଆସିଲେ ମୋବାଇଲ ନେଇଯିବାକୁ ଗ୍ରାହକମାନଙ୍କୁ କହିଥିଲେ ଏଜେଣ୍ଟ ।
ଏହାମଧ୍ୟ ପଢନ୍ତୁ..ଋଣ ଦେବା ନାଁରେ ୨୮ଲକ୍ଷ ଟଙ୍କା ଠକେଇ, ୫ ଅଭିଯୁକ୍ତ ଗିରଫ
ପରବର୍ତ୍ତୀ ସମୟରେ ନାଁ ଟଙ୍କା ଆସିଥିଲା ନାଁ ମୋବାଇଲ । କିନ୍ତୁ କିସ୍ତି ଟଙ୍କା ସୁଝିବା ପାଇଁ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କ ନିକଟକୁ ଘନ ଘନ ଫୋନ କଲ ଆସିଥିଲା । ଯାହାପରେ ଲୋନ୍ ଆପ୍ରୁଭ ହୋଇଥିବା ଓ ଟଙ୍କା ଉଠାଯାଇଥିବା ନେଇ ଜାଣିବାକୁ ପାଇଥିଲେ ଗ୍ରାହକ । ଏନେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଓ ଠକାମିରେ ସମ୍ପୃକ୍ତ 2 ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ 2 ଜଣ ହେଉଛନ୍ତି ଖାରବେଳ ନଗର ଅଞ୍ଚଳର ରାଜା ନାୟକ ଓ ଅସ୍ତରଙ୍ଗ ଅଞ୍ଚଳର ଫାଇନାନ୍ସ ଏଜେଣ୍ଟ ଅଭିଳାଷ ମଲ୍ଲିକ ।
ତେବେ ଠକେଇ ବିଷୟରେ ଜାଣି ବି କମ୍ପାନୀର କଲେକ୍ସନ ଏଜେଣ୍ଟ କିସ୍ତି ଟଙ୍କା ପାଇଁ ଘରକୁ ବାରମ୍ବାର ଆସୁଥିବା ଓ ଟଙ୍କା ସୁଝିବା ପାଇଁ ଧମକ ଚମକ ଦେଉଥିବା ଅଭିଯୋଗ ଆଣିଛନ୍ତି ଠକାମିର ଶିକାର ହୋଇଥିବା ଲୋକେ । ଟଙ୍କା ସୁଝିବା ନେଇ କମ୍ପାନୀ ପକ୍ଷରୁ ବାରମ୍ବାର କଲ ଓ ମେସେଜ୍ ଆସୁଥିବା ସୂଚନା ରହିଛି । ଏହି ଘଟଣାକୁ ନେଇ ଉତ୍ୟକ୍ତ ହୋଇ ଲୋକମାନେ ଖାରବେଳ ନଗର ସ୍ଥିତ ଅଫିସରେ ପଶି ହଙ୍ଗାମା କରିବା ସହ କମ୍ପାନୀ କର୍ମଚାରୀଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର