ଖୋର୍ଦ୍ଧା: କୁକୁଡ଼ା ଫାର୍ମ ଚଳେଇବାକୁ ହେଲେ ଦେବାକୁ ପଡିବ ଲକ୍ଷେ ଟଙ୍କା । ଟଙ୍କା ଦେବାକୁ ଅସମର୍ଥ ହେବାରୁ କୁକୁଡ଼ା ଚାଷୀଙ୍କ ଉପରେ ଦାଉ ସାଧିଲେ ସରପଞ୍ଚ । ସରପଞ୍ଚ ନିଜ କ୍ଷମତାର ଅପବ୍ୟବହାର କରିଥିବା ସାଙ୍ଘାତିକ ଅଭିଯୋଗ ଆଣି କୁକୁଡ଼ା ଚାଷୀ ଏ ସମ୍ପର୍କରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସରପଞ୍ଚଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ ସରପଞ୍ଚଙ୍କୁ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି କିନ୍ତୁ ସରପଞ୍ଚ ଏହି କ୍ଷମତାର ଖୋଲା ଉଲଂଘନ କରୁଥିବା ସାଙ୍ଘାତିକ ଅଭିଯୋଗ ହୋଇଛି । ଯାହା ଖୋର୍ଦ୍ଧା ମଲ୍ଲିପୁର ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମକୁ ସରପଞ୍ଚ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ନିର୍ଦେଶ ଦେବାପରେ ଏପରି ଅଭିଯୋଗ ହୋଇଛି ।
ସରପଞ୍ଚଙ୍କ ନୋଟିସ ଅନୁଯାୟୀ କୁକୁଡ଼ା ଫାର୍ମ ଦ୍ବାରା ସ୍ଥାନୀୟ ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଠାରେ କୁକୁଡ଼ା ଫାର୍ମ ପାଇଁ ଚର୍ମରୋଗ ହେଉଥିବା ସରପଞ୍ଚ ନିଜେ ପଞ୍ଚାୟତ ପ୍ୟାଡ଼ରେ ଉଲେଖ କରିଛନ୍ତି । ସେପଟେ ନିଜେ ସରପଞ୍ଚ ବଟି ମାଗି ନିରାଶ ହେବାପରେ ଆକ୍ରୋସ ମୂଳକ ଭାବେ ଏପରି କରିଥିବା ଅଭିଯୋଗ କରିଛନ୍ତି କୁକୁଡ଼ା ଫାର୍ମ ମାଲିକ ।
କିପରି ଜଣେ ସରପଞ୍ଚ ନିଜ କ୍ଷମତା ବାହାରକୁ ଯାଇ ଫର୍ମକୁ ବନ୍ଦ ନିର୍ଦେଶ ଦେଲେ ତାହା ଏବେ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରପଞ୍ଚ ଜାରି କରିଥିବା ନୋଟିସ ଗ୍ରହଣୀୟ ନୁହଁ ଏବଂ ଏହାର ତଦନ୍ତ କରାଯିବ ବୋଲି ଜିଲା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ