ଭୁବନେଶ୍ବର: ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାର୍ଥ ରକ୍ଷା ଲାଗି ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ଏବେ ତାର ମୂଳ ଲକ୍ଷ୍ୟରୁ ଦୁରେଇ ଯାଇଛି । ଉପଭୋକ୍ତାଙ୍କ ସ୍ବାର୍ଥ ବଦଳରେ ଏହି ସଂସ୍ଥା ଏବେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କ ସ୍ବାର୍ଥ ପାଇଁ ଲାଗି ପଡିଛି । କିଛି ନିର୍ଦ୍ଦିଷ୍ଟ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ନିଜ ଦ୍ବାରା ଜାରି ବିଜ୍ଞାପନକୁ ବି ଓଇଆରସି ପକ୍ଷରୁ ମାଡି ମୋକଚି ଦିଆଯାଇଥିବା ଅଭିଯୋଗ ହୋଇଛି । ନିକଟରେ ଏହି ସଂସ୍ଥାରେ ବରିଷ୍ଠ ଅଧିକାରୀ ନିଯୁକ୍ତି ପାଇଁ ଦିଆଯାଇଥିବା ବିଜ୍ଞାପନରେ ଯେପରି ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି ତାହା ଓଇଆରସିର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ଲଗାଇଛି ।
ଦୁଇ ମାସରେ ଦୁଇଟି ବିଜ୍ଞାପନ: ଅଭିଯୋଗ ଅନୁସାରେ କମିଶନ ସେକ୍ରେଟାରୀ ଓ ଡାଇରେକ୍ଟର ଇଞ୍ଜିନିୟରିଂ ପଦବୀ ପାଇଁ ଗତ 5 ସେପ୍ଟେମ୍ବର 2023ରେ ଓଇଆରସି ପକ୍ଷରୁ ବିଜ୍ଞାପନ ଜାରି କରାଯାଇ ପ୍ରାର୍ଥୀମାନଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା । ଏଥିପାଇଁ ଆବେଦନର ଶେଷ ତାରିଖ ଥିଲା 7 ଅକ୍ଟୋବର 2023 । ସର୍ବୋଚ୍ଚ ବୟସ ସୀମା ରଖାଯାଇଥିଲା 57 ବର୍ଷ । ଏଥିପାଇଁ ଦରମା ସପ୍ତମ ବେତନ କମିଶନଙ୍କ ଲେବୁଲ-17 ସ୍କେଲ -1 ରଖାଯିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଭତ୍ତା ବ୍ୟବସ୍ଥା ମଧ୍ୟ ଥିଲା । ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ସମ୍ପର୍କରେ ମଧ୍ୟ ବିଜ୍ଞାପନରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ହେଲା, ଏହି ସମାନ ପଦବୀ ପାଇଁ 20 ଅକ୍ଟୋବର 2023ରେ ଆଉ ଏକ ଅନୁରୂପ ବିଜ୍ଞାପନ ପ୍ରକାଶ ପାଇଥିଲା । ଯାହାର ଆବେଦନର ଶେଷ ତାରିଖ ରହିଥିଲା 30 ନଭେମ୍ବର 2023 ।
'ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ ପାଇଁ ଷଡ଼ଯନ୍ତ୍ର': ସବୁଠୁ କୌତୁହଳର କଥା ହେଲା, ନୂଆ ବିଜ୍ଞାପନ ପ୍ରକାଶ ପାଇଥିଲେ ବି ପୁରୁଣା ବିଜ୍ଞାପନ ବାତିଲ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲା । ପୁରୁଣା ବିଜ୍ଞାପନ ଓ ନୂଆ ବିଜ୍ଞାପନ ପ୍ରାୟତଃ ସମାନ ଥିଲେ ବି 3ଟି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସେଗୁଡିକ ହେଲା ଦ୍ବିତୀୟ ବିଜ୍ଞାପନରେ ସର୍ବୋଚ୍ଚ ବୟସ ସୀମା 57ରୁ 62 ବର୍ଷକୁ ବୃଦ୍ଧି କରାଯାଇଥିଲା । ଦ୍ବିତୀୟରେ ପୂର୍ବ ବିଜ୍ଞାପନରେ ପଦବୀଗୁଡିକ ସ୍ଥାୟୀ ନିଯୁକ୍ତି ଉଲ୍ଲେଖ ଥିବାବେଳେ ପରବର୍ତ୍ତୀ ବିଜ୍ଞାପନରେ ଏହାକୁ ଚୁକ୍ତି ଭିତ୍ତିକ କରିଦିଆଯାଇଥିଲା । ସେହିପରି ପୂର୍ବ ବିଜ୍ଞାପନର ଦରମା ଓ ଭତ୍ତା ସ୍ଥାନରେ ପାରିଶ୍ରମିକ ଲେଖିଦିଆଗଲା । ଯାହାକି ପେନସନ୍କୁ ବାଦ ଦେଇ ଅବସର ନେବାର ଶେଷ ଦରମାକୁ ଧାର୍ଯ୍ୟ କରାଗଲା । ଗୋଟିଏ ପଦବୀ ପାଇଁ ଦୁଇଥର ବିଜ୍ଞାପନ ପ୍ରକାଶ କରାଯିବା ଓ ଆବେଦନ ପ୍ରକ୍ରିୟାରେ ସଂଶୋଧନ କରାଯିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଶକ୍ତି ବିଶେଷଜ୍ଞ ଆନନ୍ଦ ମହାପାତ୍ର । ପ୍ରଥମ ବିଜ୍ଞାପନରେ କିଛି ଆଶାୟୀ ପ୍ରାର୍ଥୀ ଆବେଦନ କରିଥିଲେ ମଧ୍ୟ ବିଜ୍ଞାପନକୁ ବାତିଲ କରାନଯାଇ କାହା ସ୍ବାର୍ଥରେ ନୂଆ ବିଜ୍ଞାପନ ଜାରି ହେଲା, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ନିକଟରେ ଅବସର ନେଇଥିବା କିଛି ନିର୍ଦ୍ଦିଷ୍ଟ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଛି ।