ଖୋର୍ଦ୍ଧା :କାର୍ଯ୍ୟରେ ଅବହେଳା କରୁଛନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ । ଠିକ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁ ନାହାଁନ୍ତି । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବୋତଳମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ନିଜ ଇଚ୍ଛା ମୁତାବକ ଆସୁଥିବା ଦେଖିବାକୁ ମିଳିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ବେଗୁନିଆ ଠାରୁ ପ୍ରାୟ ୧୫କିଲୋମିଟର ଦୂରରେ ଥିବାରୁ କର୍ମଚାରୀମାନେ ମନଇଚ୍ଛା ଆସୁଥିବା ଅଭିଯୋଗ ହୋଇଛି ।
ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ରୋଗୀ ଓ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇଁ ଲୋକମାନେ ଆସୁଥିବାବେଳେ କର୍ମଚାରୀ ଅନୁପସ୍ଥିତ ରହୁଥିବାରୁ ସେମାନଙ୍କୁ ବାରମ୍ବାର ଆସିବାକୁ ପଡୁଥିବା କହିଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ପ୍ରତିଦିନ ୧୨ଟା ବାଜିଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ରହୁନଥିବାବେଳେ ପ୍ରଶାସନିକ ବିଭାଗରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ସେହିଭଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନର ବିପିଏମ ୟୁନିଟରେ କୌଣସି କର୍ମଚାରୀ ନଥିବାବେଳେ ଲାଇଟ ଫ୍ୟାନ ବି ଚାଲୁଛି ।