ଭୁବନେଶ୍ବର: ଆସନ୍ତାକାଲି ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନ । ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୫ଟି ଏଜେଣ୍ଡା ଉପରେ ଆଲୋଚନା ହୋଇଛି । କୋଭିଡ ନିୟନ୍ତ୍ରଣ ପରେ ଦର୍ଶକ ବିଧାନସଭା ଗ୍ୟାଲେରୀକୁ ଆସିବେ ବୋଲି ନିଷ୍ପତ୍ତି ହୋଇଛି । ତେବେ ଯେଉଁ ସଦସ୍ୟ ଚାହିଁବେ ଭିସି ମାଧ୍ୟମରେ ବିଧାନସଭା କାର୍ଯ୍ୟରେ ସାମିଲ ହେବାନେଇ ନିଷ୍ପତି ହୋଇଛି । ଏହାକୁ ବିରୋଧ କରି ଆଲୋଚନା ତ୍ୟାଗ କରିଛି ବିଜେପି ।
ଆସନ୍ତା ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ୧୫ଟି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ସହିତ ଆଲୋଚନା କରିଛନ୍ତି ବାଚସ୍ପତି । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ ୧୪ଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ତେବେ ଗୋଟିଏ ପ୍ରସଙ୍ଗରେ ସହମତି ପ୍ରକାଶ କରିନାହିଁ ମୁଖ୍ୟ ବିରୋଧି ବିଜେପି । ଯେଉଁ ସଦସ୍ୟ ଚାହିଁବେ, ଭିସି ଜରିଆରେ ବିଧାନସଭା କାର୍ଯ୍ୟକ୍ରମରେ ସାମିଲ ହେବାନେଇ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ବିଜେପି । ଏହା ସହ ବୈଠକ ତ୍ୟାଗ କରିଛି ରାଜ୍ୟର ପ୍ରମୁଖ ବିରୋଧି ଦଳ ।
ତେବେ ବଜେଟ ଅଧିବେଶନ ଯେପରି ସୁରୁଖୁରୁରେ ଚାଲିପାରିବ ଓ ଜନସାଧାରଣଙ୍କ ସମସ୍ୟା ବିସ୍ତୃତ ଭାବେ ଉପସ୍ଥାପନ ହେବ, ସେନେଇ ସ୍ରର୍ବ ଦଳୀୟ ବୈଠକରେ ଆଲୋଚନା ହୋଇଛି । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସିପିଆଇ(ଏମ) ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।
ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି, "ସର୍ବଦଳୀୟ ବୈଠକରେ ୧୫ଟି ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରାୟ ସମସ୍ତ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । କୋଭିଡ ନିୟନ୍ତ୍ରଣ ହୋଇଥିବାରୁ ଗତଥର ଠାରୁ ଗଣମାଧ୍ୟମକୁ ବିଧାନସଭା ଗୃହକୁ ଆସି ଖବର ସଂଗ୍ରହ ଲାଗି ଅନୁମତି ଦିଆଯାଇଥିଲା । ସେହିପରି ଚଳିତ ଥର ଅଧିବେଶନରେ ସାଧାରଣ ଦର୍ଶକଙ୍କ ପ୍ରବେଶ ଲାଗି ଅନୁମତି ପ୍ରଦାନ କରାଯାଇଛି । ବାଚସ୍ପତି ଓ ଦର୍ଶକ ଗ୍ୟାଲେରୀକୁ ସାଧାରଣ ଦର୍ଶକ ଆସିପାରିବେ । ଯେଉଁ ସଦସ୍ୟ ଚାହିଁବେ ଭିସି ଜରିଆରେ ବିଧାନସଭା କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।