ଓଡିଶା

odisha

By

Published : Aug 6, 2019, 11:58 PM IST

ETV Bharat / state

ବୀର ମାଟିର ବୀର ପୁତ୍ରଙ୍କୁ ଭୁଲିଗଲେ ସରକାର

ଇତିହାସର ସ୍ବର୍ଣ୍ଣିମ ଆଧ୍ୟାୟରେ ଲିପିବଦ୍ଧ ଖୋର୍ଦ୍ଧାର ନାଁ । ବର୍ତ୍ତମାନ ସମୟରେ ଅବହେଳିତ ବୀର ମାଟିର ସୁଯୋଗ୍ୟ ସନ୍ତାନ । ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ସୁଯୋଗ୍ୟ ସନ୍ତାନଙ୍କ ସମ୍ମାନାର୍ଥେ ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତି ଭାଙ୍ଗିରୁଜି ଗଲାଣି । ପ୍ରଶାସନର ଯେପରି ଏଥିପ୍ରତି ନିଘା ନାହିଁ । ସେପଟେ ଖୁବ ଶିଘ୍ର ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଏବେବି ଶେଷ ସ୍ବାଧୀନ ଗଡ଼ ଭାବେ ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ଖୋର୍ଦ୍ଧାର ନାଁ । ଏହି ଗଡ଼କୁ ସ୍ବାଧୀନ କରି ଶହୀଦ ହୋଇଥିଲେ କେତେ ଯେ ବୀର ପୁତ୍ର । ତେବେ ବର୍ତ୍ତମାନ ସମୟରେ ଅବହେଳିତ ବୀର ମାଟିର ସୁଯୋଗ୍ୟ ସନ୍ତାନ । ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ସୁଯୋଗ୍ୟ ସନ୍ତାନଙ୍କ ସମ୍ମାନାର୍ଥେ ସ୍ଥାପିତ ହୋଇଥିଲା ପ୍ରତିମୂର୍ତ୍ତି । କିନ୍ତୁ ରକ୍ଷଣା ବେକ୍ଷଣା ଅଭାବରୁ ଖୋଲା ଆକାଶ ତଳେ ରହିଥିବା ଏହି ସବୁ ପ୍ରତିମୂର୍ତ୍ତି ଏବେ ଭାଙ୍ଗିରୁଜି ଗଲାଣି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା


ଏବେବି ସ୍ମୃତିର ମାନସପଟରେ ସେମାନେ । ଦେଶକୁ ସ୍ୱାଧୀନ କରିବାରେ ସେମାନଙ୍କ ଅବଦାନ କମ ନଥିଲା । ଇତିହାସର ପୃଷ୍ଠାରେ ଏବେବି ସେମାନେ ଜୀବିତ । ସେହି ବୀର ମାନଙ୍କୁ ଆଗାମୀ ପୀଢ଼ି ମନେ ରଖିବା ପାଇଁ ସେମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ସେମାନଙ୍କ ସ୍ମୃତିରେ ଶହୀଦ ପୀଠ ମଧ୍ୟ ନିର୍ମାଣ କରାଯାଇଛି । ଯାହା ଏବେ ଅବହେଳିତ ଅବସ୍ଥାରେ । ଖୋର୍ଦ୍ଧା ବୀର ମାଟିର ବକ୍ସି ଜଗବନ୍ଧୁ , ଜୟୀ ରାଜଗୁରୁ, କୃତିବାସ ପାଟଶାଣୀ, ପିଣ୍ଡିକ ବାହୁବଳେନ୍ଦ୍ର, ମାଧବ ଚନ୍ଦ୍ର ରାଉତରାୟ ପ୍ରମୁଖଙ୍କ ପ୍ରତିମୂର୍ତ୍ତି ଗଡ଼ଖୋର୍ଦ୍ଧା ଏବଂ ଖୋର୍ଦ୍ଧାକୁ ପ୍ରବେଶ କରୁଥିବା ରାସ୍ତାରେ ସ୍ଥାପନ କରାଯାଇଛି । କିନ୍ତୁ ଏହି ପ୍ରତିମୂର୍ତ୍ତି ଏବେ ଭାଙ୍ଗିରୁଜି ଗଲାଣି ଓ ଖୋଲା ଆକାଶ ତଳେ ପଡିରହିଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶିକ୍ଷାବିତ ଓ ସ୍ଥାନୀୟ ଲୋକ ।


ଖୋର୍ଦ୍ଧା ପୌପରିଷଦ ଓ ସଂସ୍କାର ଭାରତୀ ପକ୍ଷରୁ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ପାଇକ ବୀର ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । ଗୋଟିଏ ପଟେ ରାଜ୍ୟ ସରକାର ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ପାଳନ କରିବାକୁ ସଜବାଜ ହେଉଥିବା ବେଳେ ଅନ୍ୟପଟେ ଏହି ବୀର ପାଇକ ମାନଙ୍କର ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ । ପ୍ରତିମୂର୍ତ୍ତି କେଉଁଠି ଭାଙ୍ଗି ଯାଇଥିବା ବେଳେ ଶହୀଦ ସ୍ତମ୍ଭରେ ଗଛ ଉଠି ଏହାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି ଆଉ କୋଉଠି ସମ୍ପୂର୍ଣ୍ଣ ଅଳିଆ ଓ ଅନାବନା ଗଛ ମଧ୍ୟରେ ଶୋଭା ପାଉଛନ୍ତି ଏହି ସୁଯୋଗ୍ୟ ସନ୍ତାନ । କେବଳ ସ୍ୱାଧୀନତା ଦିବସ ଆସିଲେ ପ୍ରଶାସନର ଯେମିତି ମନେପଡେ ଏହି ବୀର ପାଇକ ମାନଙ୍କ କଥା । ତେବେ ଏ ସମ୍ପର୍କରେ ଖୋର୍ଦ୍ଧା ଜିଲାପାଳ କହିଛନ୍ତି ଯଥାଶୀଘ୍ର ଏହି ବୀର ପାଇକ ମାନଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ କର୍ଯ୍ୟ ଆରମ୍ଭ କରାଯିବ ।


ଦେଶକୁ ସ୍ବାଧୀନତା ପ୍ରଦାନ କରିବାରେ ଖୋର୍ଦ୍ଧା ପାଇକ ମାନଙ୍କର ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ । କିନ୍ତୁ ସଂସ୍କୃତି ବିଭାଗ ଯେମିତି ଏମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ତା ଦାଇତ୍ବ ସାରିଦେଇଥିବା ପରି ମନେ ହେଉଛି । ଯଥାଶୀଘ୍ର ଏହି ବୀର ପାଇକ ମାନଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣା କରି ପରିବେଶକୁ ସଫା କରି ରଖିଲେ ତାଙ୍କ ବଳିଦାନର ଉଚିତ ସମ୍ମାନ ଆମେ ତାଙ୍କୁ ଦେଇପାରିବା ବୋଲି ମତ ପ୍ରକାଶ ପାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details