ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମୌସୁମୀ ନିମ୍ନ ଚାପରେଖା ସକ୍ରିୟ ରହିଥିବା ବେଳେ ବିହାର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ଆଦି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଉତ୍ତର ଏବଂ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହାସହ ୮ ତାରିଖରେ ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ତେବେ ୧୦ ତାରିଖରୁ ପୁଣି ରାଜ୍ୟରେ ପୁଣି ଥରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରର ଜୁଜୁମରାଠାରେ ସର୍ବାଧିକ ୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାସହ ପୁରୀର ପିପିଲି ଠାରେ ୪୮ ମିଲିମିଟର, ରାୟଗଡ଼ାର ଗୁଣୁପୁରଠାରେ ୪୫ ମିଲିମିଟର ଏବଂ ସୋନ୍ପୁର୍ ଉଲ୍ଲୁଣ୍ଡାରେ ୪୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ।