ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାର ପ୍ରଥମ ଅଭିଯୋଗକାରୀ ତଥା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ପରେ ଅକ୍ଷୟଙ୍କ ଓକିଲ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ବୟାନ । ବଡ଼ବଡ଼ିଆଙ୍କୁ ହନିଟ୍ରାପ ଜାଲରେ ଫସାଇ ବ୍ଲାକମେଲ କରିବା ଏକ ବଡ଼ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ଏହାପରେ ଆଇନଜୀବୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବ୍ଲାକମେଲର ଦମ୍ପତ୍ତି ଅର୍ଚ୍ଚନା ଓ ଜଗବନ୍ଧୁ କେସ୍ରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଜଣଙ୍କ ପରେ ଜଣକୁ ସ୍କାନରକୁ ଆଣି କରୁଛି ପଚରାଉଚରା । ଏହି ମାମଲାରେ ଅଧିକ ତଦନ୍ତ ପାଇଁ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ସମନ କରିଥିଲା ଇଡି । ତେବେ ଇଡି ନିକଟରେ ହାଜର ହେବା ପାଇଁ କିଛି ସମୟ ମାଗିବାକୁ ଆସିଥିଲେ ଅକ୍ଷୟଙ୍କ ଓକିଲ । ସେ କହିଛନ୍ତି, "ଏହା ଏକ ବଡ଼ ଷଡ଼ଯନ୍ତ୍ର । ଯଦି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତଦନ୍ତକାରି ସଂସ୍ଥା ତଦନ୍ତ ସଠିକ କରେ ଏହା ପଛରେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ । ଏହା ପଛର ସବୁ ସତ୍ୟାସତ୍ୟ ପଦାକୁ ଆସିବ । ବ୍ୟାଙ୍କକରୁ ଫେରି ସଙ୍ଗରୋଧରେ ଅଛନ୍ତି ଅକ୍ଷୟ ପରିଜା । ସେ ଖୁବ ଶୀଘ୍ର ହାଜର ହୋଇ ତଦନ୍ତରେ ସହଯୋଗ କରିବେ ।"
ତେବେ ଅକ୍ଷୟ ପରିଜାଙ୍କ ଓକିଲଙ୍କ ବୟାନ ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଅସଲରେ ଅର୍ଚ୍ଚନା କେଳେଙ୍କାରୀ ପଛରେ କାହାର ହାତ ରହିଛି । ବଡବଡିଆଙ୍କୁ ଏପରି ହନିଟ୍ରାପରେ ଫସାଇବାକୁ କିଏ ଏଭଳି ଜାଲ ବିଛାଇଥିଲା । ଅନେକ ରାଜନୈତିକ ଦଳର ନେତାଙ୍କ ସହ ସମ୍ପର୍କରେ ରହି ଏପରି ଏକ ଷଡ଼ଯନ୍ତ୍ର ଜରିଆରେ ରାଜନୈତିକ ଷଡ଼ଯନ୍ତ୍ର ରଚାଯାଇଥିଲା କି । ବଡ଼ ବଡ଼ ବ୍ୟବସାୟୀ ଓ ପ୍ରତିପତ୍ତି ଲୋକଙ୍କ ଠାରୁ ମଧ୍ୟ ଅର୍ଚ୍ଚନା ହନିଟ୍ରାପ ଜରିଆରେ ଅର୍ଥ ସଂଗ୍ରହ କରାଯାଉଥିଲା କି । ଏଭଳି ଏବେ ଅନେକ ପ୍ରଶ୍ନ ଠିଆ ହୋଇଛି ।