ଭୁବନେଶ୍ବର: ଉନ୍ନତ ସ୍ବାସ୍ଥ୍ୟ ସେବା ପରିଚାଳନା ଏବଂ ରୋଗୀ ସେବା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ର ପ୍ରୟୋଗ କ୍ଷେତ୍ରରେ ତାଇୱାନର ଚାଙ୍ଗ୍ଗୁଙ୍ଗ୍ ବିଶ୍ବବିଦ୍ୟାଳୟର ସହିତ ମିଳିତ ଭାବେ କାର୍ଯ୍ୟ କରିବ AIIMS ଭୁବନେଶ୍ବର । ରୋଗର ପୂର୍ବାନୁମାନ ଏବଂ ତ୍ବରିତ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଉପଯୋଗୀ ସାଜିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ । ଜରୁରୀକାଳୀନ କ୍ଷେତ୍ରରେ ତ୍ବରିତ ଚିକିତ୍ସା ସେବା ଯୋଗାଇବା ପାଇଁ ରୋଗର ଶୀଘ୍ର ଚିହ୍ନଟ ହେବା ବେଶ ଗୁରୁତ୍ବପୂର୍ଣ୍ଣ । ଯେତେବେଳେ କର୍କଟ କିମ୍ବା ପକ୍ଷାଘାତ(ପାରାଲିସିସ୍/ବ୍ରେନ୍ ଷ୍ଟ୍ରୋକ୍) ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ । ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ସବୁବେଳେ ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ହୋଇଥାଏ । ତେଣୁ ରୋଗର ତ୍ବରିତ ଚିହ୍ନଟ ତଥା ଡାକ୍ତରୀ ତଥ୍ୟ ବିଶ୍ଳେଷଣରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରୟୋଗ ସମୟର ବଡ଼ ଆବଶ୍ୟକତା ପଡ଼ିଥାଏ ବୋଲି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ କହିଛନ୍ତି ।
ରୋଗ ନିରାକରଣ, ଚିକିତ୍ସା ଏବଂ ପରିଚାଳନା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI)ର ବ୍ୟାପକ ବ୍ୟବହାର ନେଇ ଏହି ବିଦେଶୀ ବିଶ୍ବବିଦ୍ୟାଳୟ ସହିତ ଏମ୍ସ ଭୁବନେଶ୍ବର ମିଳିତ ଭାବେ କାର୍ଯ୍ୟ କରିବା ନେଇ ସୂଚନା ଦେଇଛନ୍ତି ଡକ୍ଟର ବିଶ୍ବାସ । ନିକଟ ଭବିଷ୍ୟତରେ ତାଇୱାନର ଏହି ସମ୍ମାନଜନକ ବିଶ୍ବବିଦ୍ୟାଳୟ ସହିତ ଗବେଷଣା ଏବଂ ତାଲିମ କାର୍ଯ୍ୟକ୍ରମ କ୍ଷେତ୍ରରେ ବୁଝାମଣାପତ୍ର ସ୍ବାକ୍ଷର ହେବାର ଯୋଜନା ରଖିଛି AIIMS ଭୁବନେଶ୍ବର । ଯେତେବେଳେ କର୍କଟ କିମ୍ବା ମସ୍ତିଷ୍କାଘାତ/ପକ୍ଷାଘାତ ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ସେତେବେଳେ ବହୁ ପରିମାଣର ଚିତ୍ର ଏବଂ କ୍ଲିନିକାଲ୍ ତଥ୍ୟ ସୃଷ୍ଟି ହୁଏ । ରୋଗର ନିରାକରଣ ପାଇଁ ଡାକ୍ତରମାନେ ହିଷ୍ଟୋପାଥୋଲୋଜିକାଲ୍, ସିଟି, ସିଟିଏ ଏବଂ ଏମ୍ଆରଆଇ ଭଳି ବିଭିନ୍ନ ପ୍ରକାରର ଚିତ୍ର ବ୍ୟବହାର କରନ୍ତି । ଉକ୍ତ ପ୍ରତିଛବିଗୁଡ଼ିକ ବିଭିନ୍ନ ଫର୍ମାଟରେ ଗଚ୍ଛିତ ଥାଏ । ତେବେ ସେହି ବୈଷୟିକ ଛବିକୁ ଗଭୀର ଭାବେ ଅନୁଧ୍ୟାନ କରି ବିଶ୍ଳେଷଣ କରିବା ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏକ ଅଂଶ ।