ଭୁବନେଶ୍ବର:ରୋଗୀସେବା, ଗବେଷଣା ଏବଂ ପୁନର୍ବାସ କ୍ଷେତ୍ରରେ ସାମଗ୍ରୀକ ଚିକିତ୍ସା ସୁବିଧା ପାଇଁ ଏମ୍ସ ଭୁବନେଶ୍ୱର ଏବଂ ଏସଭିନିରତାର ମଧ୍ୟରେ MoU ସ୍ୱାକ୍ଷରିତ ହୋଇଛି । ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ ବିଭିନ୍ନ ନୂତନ ସ୍ୱାସ୍ଥ୍ୟ ଉପକରଣ, କୃତ୍ରିମ ଅଙ୍ଗ ନିର୍ମାଣ ଯୋଜନା ରହିଛି । ପୁନର୍ବାସ କ୍ଷେତ୍ରରେ ବ୍ୟାପକ ଚିକିତ୍ସା ସେବା ଯୋଗାଇଦେବା ନେଇ ଲକ୍ଷ୍ୟ ରଖିଛି ଏମ୍ସ ଭୁବନେଶ୍ୱର । ତେବେ ଏମ୍ସକୁ ଏଥିରେ ସହଯୋଗ କରିବ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ତାଲିମ ଗବେଷଣା ଏବଂ ଶିକ୍ଷା କେନ୍ଦ୍ର( SVNIRTAR) । ଏନେଇ ଆଜି ଏମ୍ସ ଭୁବନେଶ୍ଵର ଏବଂ ଏସଭିନିରତାର ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ । ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ଆଶୁତୋଷ ବିଶ୍ୱାସ ଏବଂ କଟକ ଏସଭିନିରତାର ନିର୍ଦ୍ଦେଶକ ଡ. ପିପି ମହାନ୍ତିଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର ହୋଇଛି । ତେବେ ଏପରି ବୁଝାମଣା ଅସ୍ତ୍ରୋପଚାର ପରବର୍ତ୍ତୀ ଏବଂ ବିଭିନ୍ନ ରୋଗର ନିରାକରଣ ନିମନ୍ତେ ପୁନର୍ବାସ ଚିକିତ୍ସା ସେବା ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ବିଶେଷ ସହାୟକ ହେବ । ଏମ୍ସର ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ଅର୍ଥୋପେଡିକ୍ସ, ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ, ପେଡିଆଟ୍ରିକ୍ସ(ଶିଶୁରୋଗ) ଭଳି ବିଭିନ୍ନ ବିଭାଗ ଏଥିରେ ଉପକୃତ ହେବେ। ସେହିପରି ଏସଭିନିରତାରର ଫିଜିଓଥେରାପୀ, ଅକୁପେସ୍ନାଲ ଥେରାପୀ, ସ୍ପିଚ୍ ଥେରାପୀ ଭଳି ବିଭିନ୍ନ ବିଭାଗ ଅଧୀନରେ ଚିକିତ୍ସିତ ରୋଗୀଙ୍କ ରେଫରାଲ୍ ଉପରେ କାର୍ଯ୍ୟ କରିବ । ଉଭୟ ଜାତୀୟ ଅନୁଷ୍ଠାନ ଏହି କ୍ଷେତ୍ରରେ ଚିକିତ୍ସାଧୀନ ରୋଗୀ ଆବଶ୍ୟକ କରୁଥିବା ପୁନର୍ବାସ ସ୍ବାସ୍ଥ୍ୟସେବା ଯୋଗାଇ ଦେବେ ବୋଲି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ଆଶୁତୋଷ ବିଶ୍ବାସ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ...Chandrayaan-3: ସାମ୍ନାକୁ ଆସିଲା ଚନ୍ଦ୍ରୟାନ-3 ସାଟେଲାଇଟର ପ୍ରଥମ ଝଲକ, 13ରେ ଉତକ୍ଷେପଣ