ଓଡିଶା

odisha

ETV Bharat / state

ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି

ଅଧିକ ଷ୍ଟେରଏଡ୍‌ ବ୍ୟବହାର କାରଣରୁ କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ଯଥେଷ୍ଟ ବୃଦ୍ଧି ପାଇଛି । ୫୦ ବର୍ଷ ପରେ ଓଷ୍ଟିଓପୋରୋସିସରେ ପ୍ରାୟ ୩୦ ପ୍ରତିଶତ ରୋଗୀ ଆକ୍ରାନ୍ତ ହେଉଥିବା କହିଛନ୍ତି ବିଶେଷଜ୍ଞ । ଅଧିକ ପଢନ୍ତୁ

By

Published : Oct 21, 2022, 8:52 AM IST

ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି
ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି

ଭୁବନେଶ୍ବର: ୫୦ ବର୍ଷ ବୟସ ପରେ ଓଷ୍ଟିଓପୋରୋସିସ୍ (ହାଡ଼ପୋରିଆ, ପୋଲା ହାଡ଼) ଏକ ସାଧାରଣ ସମସ୍ୟା ଅଟେ । ଇଷ୍ଟ୍ରୋଜେନ୍ ହରମୋନ୍ ଅଭାବ କାରଣରୁ ଏହା ସାଧାରଣତଃ ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥିବା (ପୋଷ୍ଟମେନୋପାଜାଲ୍) ମହିଳାମାନଙ୍କ ଠାରେ ଦେଖାଯାଏ । ୫୦ ବର୍ଷ ପରେ ଓଷ୍ଟିଓପୋରୋସିସ୍ ହେତୁ ପ୍ରାୟ ୩୦ ପ୍ରତିଶତ ରୋଗୀ ଆକ୍ରାନ୍ତ ହୁଅନ୍ତି । ବହୁଳ ଷ୍ଟେରଏଡ୍ ବ୍ୟବହାର କାରଣରୁ କୋଭିଡ୍ ପରବର୍ତ୍ତୀ ସମୟରେ ଓଷ୍ଟିଓପୋରୋସିସ୍ ଘଟଣା ବୃଦ୍ଧି ପାଇଛି ବୋଲି ଏମ୍ସ ଭୁବନେଶ୍ବରରେ “ବିଶ୍ବ ଓଷ୍ଟିଓପୋରୋସିସ୍ ଦିବସ”(World Osteoporosis Day) ପାଳନ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି

ଏନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏମ୍ସ ଅର୍ଥୋପେଡିକ୍ସ ବିଭାଗ ପକ୍ଷରୁ ଗୁରୁବାର ଓପିଡି ପରିସରରେ ଏକ ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଓଷ୍ଟିଓପୋରୋସିସରେ ଆକ୍ରାନ୍ତ ରୋଗୀଙ୍କ ଅସ୍ଥି ଦୁର୍ବଳ ହୋଇଯାଇଥାଏ । ଯାହାକି ସାଧାରଣତଃ ଡେକ୍ସା ସ୍କାନ(DEXA scan) ଦ୍ବାରା ମୂଲ୍ୟାଙ୍କନ କରାଯାଇଥାଏ । ଏହି ପ୍ରଣାଳୀ ଦ୍ବାରା ହାଡ଼ର ମିନେରାଲ୍ ସାନ୍ଦ୍ରତାକୁ ମାପ କରାଯାଇଥାଏ । ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥିବା ସମସ୍ତ ମହିଳା ଏବଂ ବୟସ୍କ ପୁରୁଷମାନେ ବର୍ଷକୁ ଅନ୍ତତଃ‌ପକ୍ଷେ ଥରେ ଡେକ୍ସା ସ୍କାନ୍ ଦ୍ବାରା ଅସ୍ଥିର ସାନ୍ଦ୍ରତାକୁ ଆକଳନ କରିବା ଉଚିତ୍ ବୋଲି ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି(Sachidananda Mohanty) କହିଛନ୍ତି ।

ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି

ଓଷ୍ଟିଓପୋରୋସିସ୍(Osteoporosis) କାରଣରୁ ପିଠି, ଆଣ୍ଠୁ ଯନ୍ତ୍ରଣା ହୋଇଥାଏ ଏବଂ ଅଳ୍ପ ଆଘାତ ଦ୍ବାରା ମଧ୍ୟ ହାଡ଼ ଭାଙ୍ଗିଯାଇଥାଏ । ତେଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ନିୟମିତ ବ୍ୟାୟାମ, ଉପଯୁକ୍ତ ଖାଦ୍ୟ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଉଚିତ୍ । ବୃଦ୍ଧ ରୋଗୀଙ୍କୁ କ୍ୟାଲସିୟମ ଏବଂ ଭିଟାମିନ୍ ଡି ପ୍ରଦାନ କରାଯିବା ଉଚିତ । ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଲୋକ ଯୋଗ ଦେଇଥିଲେ । ସମସ୍ତଙ୍କର ମାଗଣା ଅସ୍ଥି ମିନେରାଲ୍ ସାନ୍ଧ୍ରତା ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ ୭୮ ରୋଗୀଙ୍କ ହାଡର ମିନେରାଲ୍ ସାନ୍ଦ୍ରତା ହ୍ରାସ ପାଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି । ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ଏପରି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଥିବାରୁ ଅର୍ଥୋପେଡିକ୍ସ ବିଭାଗକୁ ସାଧୁବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details