ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । ଏନେଇ ଓଡ଼ିଶା କଂଗ୍ରେସ ସୂତ୍ରରୁ ମିଳିଛି ଖବର । 2024 ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ କ୍ରିୟାଶୀଳ କରିବା ପାଇଁ ଅରମ୍ଭ ହୋଇଛି ପ୍ରକ୍ରିୟା । ସାଧାରଣ ନିର୍ବାଚନରେ କଂଗ୍ରେସକୁ କ୍ଷମତାସୀନ କରିବା ପାଇଁ ଏଆଇସିସି ଏବଂ ଓଡିଶା ମଙ୍ଗୁଆଳଙ୍କ ଘନ ଘନ ବୈଠକ ବସିଛି । ଦିଲ୍ଲୀର ଫୋକସରେ ଏବେ ଓଡିଶା । ଦକ୍ଷିଣ ଭାରତର କର୍ଣ୍ଣାଟକ ଓ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବା ପରେ ଏବେ ଓଡ଼ିଶା ଦଖଲ କରିବା ପାଇଁ ପ୍ଲାନ ପ୍ରସ୍ତୁତ କରୁଛି କଂଗ୍ରେସ । ସେପଟେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଫେବୃଆରୀରୁ ଆରମ୍ଭ ହେବ । ଓଡ଼ିଶାରେ ମଧ୍ୟ ଏହି ଯାତ୍ରା ପରିକ୍ରମା କରିବ । ଏଭଳି ବିଭିନ୍ନ ଦୃଷ୍ଟିକୋଣରୁ ଏଆଇସିସି ସଭାପତିଙ୍କ ଓଡ଼ିଶା ଗସ୍ତ ବହୁ ଗୁରୁତ୍ବ ବହନ କରୁଛି ବୋଲି କୁହାଯାଉଛି ।
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଲୋଗୋ କଂଗ୍ରେସ ଭବନରେ ଉନ୍ମୋଚିତ ହୋଇଛି । ପିସିସି ପକ୍ଷରୁ ରାହୁଲଙ୍କ ନ୍ୟାୟ ଯାତ୍ରାରେ ଓଡ଼ିଶାରୁ ଅଧିକ ଜିଲ୍ଲାକୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ ରାହୁଲ ଗାନ୍ଧୀଙ୍କ ଯାତ୍ରା ପୂର୍ବରୁ କଂଗ୍ରେସକୁ ଅଧିକ ସଂଗଠିତ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ପିସିସି ସୂତ୍ରରୁ ମିଳିଥିବା ଖବର ଅନୁସାରେ ଚଳିତ ମାସ ଶେଷ ଆଡକୁ ଏଆଇସିସି ଅଧ୍ୟକ୍ଷ ଖଡ୍ଗେ ଓ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରମୁଖ ଭୁବନେଶ୍ବର ଆସିବେ । ଭୁବନେଶ୍ବରରେ ଏକ ବିଶାଳ ଦଳୀୟ ବୈଠକ ହେବ । ବୈଠକରେ ଦଳର ପଞ୍ଚାୟତ ସଭାପତିଙ୍କ ଠାରୁ ଆରମ୍ଭ କରି ବ୍ଲକ ସଭାପତି, ଜିଲ୍ଲା ସଭାପତି, ସମସ୍ତ ଅଫିସ କର୍ମକର୍ତ୍ତା ଯୋଗଦେବେ । ଖଡ୍ଗେ ସମସ୍ତଙ୍କୁ ଭେଟି ଦଳର ସ୍ଥିତି, ନିର୍ବାଚନ, ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରାରେ ଓଡ଼ିଶାର ଦାୟିତ୍ବ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେବ । ଫିଲ୍ଡ ପ୍ରସ୍ତୁତ କରିବାକୁ ଉଭୟ ଶୀର୍ଷ ନେତା ଭୁବନେଶ୍ବର ଆସୁଛନ୍ତି । 29 ତାରିଖରେ ପ୍ରାୟ 20 ହଜାର କଂଗ୍ରେସ ନେତା ଓ କର୍ମୀ ଏକାଠି ହେବା ପାଇଁ ପ୍ଲାନ ପ୍ରସ୍ତୁତ ହେଉଛି । ପିସିସି ସଭାପତିଙ୍କ ପିତୃବିୟୋଗ ନେଇ କାର୍ଯ୍ୟ ଆଗେଇ ପାରିନାହିଁ । ତେଣୁ ଶରତଙ୍କ ବାପାଙ୍କ ସୁଦ୍ଧିକ୍ରିୟା କାର୍ଯ୍ୟ ସରିବା ପରେ ଏହି କାର୍ଯ୍ୟକ୍ରମ ସାର୍ବଜନୀନ କରାଯିବ ।