ଭୁବନେଶ୍ବର: କଂଗ୍ରେସରେ ବଢୁଛି ତୀବ୍ର ଅସନ୍ତୋଷ ଓ ଦଳୀୟ କନ୍ଦଳ । ଏହାରି ଭିତରେ ଦଳୀୟ ଅନୁଶାସନ ଉଲ୍ଲଙ୍ଘନ ଅଭିଯୋଗରେ ବରିଷ୍ଠ ନେତା ତଥା ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଓ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଅଖିଳ ଭାରତ କଂଗ୍ରେସ କମିଟି । ୧୫ ଦିନ ମଧ୍ୟରେ ନୋଟିସର ଜବାବ ରଖିବାକୁ ଉଲ୍ଲେଖ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ଅଭିଯୋଗ ଆଧାରରେ ଏଆଇସିସି ପକ୍ଷରୁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
କଂଗ୍ରେସ ଅନୁଶାସନ ଓ ଦଳୀୟ ନିୟମକୁ ଉଲଂଘନ କରି ପ୍ରତିକ୍ରିୟା ଦେବା ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଏବଂ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପଡିଲା ମହଙ୍ଗା । ୧୫ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛି ଏଆଇସିସି । ନହେଲେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସମ୍ଭାବନା ମଧ୍ୟ ରହିଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଏ ସମ୍ପର୍କରେ ମୁଁ ଅଧିକ କିଛି କହିବିନି । ଯାହା ଅଭିଯୋଗ ଆସିଥିଲା ତାକୁ ଆମେ AICCକୁ ପଠାଇ ଦେଇଥିଲୁ । AICC ଯାହା ନିଷ୍ପତ୍ତି ନେଇଥିବ । ମୁଁ ସମସ୍ତଙ୍କୁ ନେଇ ବିଜେପି ଓ ବିଜେଡି ବିରୋଧରେ ଲଢ଼ିବାକୁ ଚେଷ୍ଟା କରୁଛି । ସେହି ରାସ୍ତାରେ ଯଦି କିଏ ବିରୋଧ କରେ ବା ବିଶୃଙ୍ଖଳିତ ଆଚରଣ କରେ, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ହାଇ କମାଣ୍ଡଙ୍କ ନିଷ୍ପତି ।"