ଓଡିଶା

odisha

By

Published : Jul 15, 2023, 10:47 PM IST

ETV Bharat / state

ବୃଷ୍ଟିପାତକୁ ଦୃଷ୍ଟିରେ ରଖି ବିହନ, ସାର ଓ କୃଷି ସାମଗ୍ରୀ ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟର ବିଭିନ୍ନ ଜିଲ୍ଲାର ଖରିଫ ଚାଷ ଓ ଅନ୍ୟାନ୍ୟ ଯୋଜନା ସଂପର୍କରେ ସମୀକ୍ଷା କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମନ୍ତ୍ରୀ । ଅଧିକ ପଢ଼ନ୍ତୁ

agriculture minister reviews kharif farming
ରାଜ୍ୟର ଖରିଫ ଚାଷର ସମୀକ୍ଷା କଲେ କୃଷି ମନ୍ତ୍ରୀ

ଭୁବନେଶ୍ବର: ଚଳିତ ଖରିଫରେ ମୌସୁମୀ ବର୍ଷା ବିଳମ୍ବରେ ହୋଇଛି । ଜିଲ୍ଲାରେ ବୃଷ୍ଟିପାତକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକତା ଅନୁସାରେ ବିହନ ଓ ସାର ଏବଂ ଫସଲ ଋଣ ସୁବିଧାରେ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୃଷି ଭବନରେ ଡିଜିଟାଲ ପ୍ଲାଟଫର୍ମ କୃଷି ସମୀକ୍ଷା କେନ୍ଦ୍ର ମାଧ୍ୟମରେ ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲାର ଖରିଫ ଚାଷ ଓ ଅନ୍ୟାନ୍ୟ ଯୋଜନା ସଂପର୍କରେ ସମୀକ୍ଷା କରିଛନ୍ତି ।

ଶନିବାର ଠାରୁ ସାରା ରାଜ୍ୟରେ ମୌସୁମୀଜନିତ ବର୍ଷା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ତଳିପକା କାର୍ଯ୍ୟ ଓ ରୋଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଜିଲ୍ଲାଗୁଡ଼ିକରେ ବୃଷ୍ଟିପାତର ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ଶୁଷ୍କ ପରିସ୍ଥିତି ଉପୁଜିଲେ ତାହାର ଉପଯୁକ୍ତ ପରିଚାଳନା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଫସଲ ଚାଷର ସଦ୍ୟତମ ସ୍ଥିତି, ବିହନ ଓ ସାରର ଯୋଗାଣ, ସବୁଜ ସାର ଧନିଚା ଚାଷ, ଆଳୁ, ପନିପରିବା ଓ ମସଲା ଚାଷର ପ୍ରଗତି ଓ ଏମଜିଏନଆରଇଜିଏସର ଫାର୍ମପଣ୍ଡ ସମ୍ବନ୍ଧରେ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଖରିଫ ଋତୁରେ ୪ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ବିହନ ଯୋଗାଣ ଲକ୍ଷ୍ୟ: କୃଷି ସଚିବ


ଚାଷୀଙ୍କୁ କିଭଳି ସରକାରଙ୍କ ସମସ୍ତ ସହାୟତା ହାତ ପାଆନ୍ତାରେ ମିଳିବ । ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରାଯାଇପାରିବ । କୃଷି କାର୍ଯ୍ୟକ୍ରମରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଓ ବୈଷୟିକ ପଦ୍ଧତିର ବିଶ୍ଳେଷଣ କରିବା ପାଇଁ କୃଷି ବିଭାଗ ପକ୍ଷରୁ କୃଷି ସମୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କୃଷି ସମୀକ୍ଷା କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ମସିହା ଅପ୍ରେଲ ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଶୁଭ ଉଦଘାଟନ କରିଛନ୍ତି । କୃଷି କ୍ଷେତ୍ରରେ ସମନ୍ୱିତ କମାଣ୍ଡ ଓ କଣ୍ଟ୍ରୋଲ ସୁବିଧା ଏହି କୃଷି ସମୀକ୍ଷା କେନ୍ଦ୍ରରେ ରହିଛି । କ୍ଷେତ୍ରସ୍ତରରୁ କୃଷି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କିତ ସଦ୍ୟତମ ତଥ୍ୟ ସଂଗ୍ରହ ହେବ । ସେଗୁଡ଼ିକ କୃଷି ସମୀକ୍ଷା କେନ୍ଦ୍ରର ଡିଜିଟାଲ ପ୍ଲାଟଫର୍ମରେ ବିଶ୍ଳେଷଣ ହେବ । ସମସ୍ତ କାର୍ଯ୍ୟକୁ ସମୀକ୍ଷା କରିବା ସହିତ ତ୍ୱରିତ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ ଏହି କୃଷି ସମୀକ୍ଷା କେନ୍ଦ୍ର ସହାୟକ ହୋଇପାରିଛି ।



ବିଭିନ୍ନ ପ୍ରକାରର ବିପର୍ଯ୍ୟୟ, ପାଣିପାଗ ସମ୍ବନ୍ଧୀୟ ତଥ୍ୟ ଓ କୃଷି କାର୍ଯ୍ୟରେ ଏହାର ପ୍ରଭାବ ନିର୍ଣ୍ଣୟ କରିବାରେ ସମୀକ୍ଷା କେନ୍ଦ୍ର ସହାୟକ ହୋଇଥାଏ । ଏହା ଦ୍ୱାରା କୃଷି କାର୍ଯ୍ୟକୁ ତଦାରଖ, ଉତ୍ତରଦାୟୀ ଓ ସ୍ୱଚ୍ଛ ଓ ବିଜ୍ଞାନଭିତ୍ତିକ ନିଷ୍ପତ୍ତି ନେବାରେ ସହାୟତା ଯୋଗାଇଥାଏ । କୃଷକ ଓ କୃଷି କ୍ଷେତ୍ରରେ ଏହାର ଯଥେଷ୍ଟ ଉପଯୋଗ ରହିଥିବାରୁ ଭବିଷ୍ୟତରେ କୃଷି ସମୀକ୍ଷା କେନ୍ଦ୍ରର କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରାଯିବାର ଯୋଜନା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଖରିଫ ଚାଷର ସଦ୍ୟତମ ସ୍ଥିତି ସଂପର୍କରେ ଆଲୋକପାତ କରିଛନ୍ତି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ଓ ଜଳବିଭାଜିକା ନିର୍ଦ୍ଦେଶକ ଶୁଭମ ସାକସେନାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details