ଓଡିଶା

odisha

ETV Bharat / state

କୃଷି ସଂପର୍କିତ ଯୋଜନାର ସମୀକ୍ଷା, ରିୱାର୍ଡ ଓ ଫାର୍ମପଣ୍ଡ ପ୍ଲସ ଉପରେ ଗୁରୁତ୍ୱ

କୃଷି ସଂପର୍କିତ ଯୋଜନାର ଅଗ୍ରଗତି ନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମୀକ୍ଷା । ଅଧିକ ପଢ଼ନ୍ତୁ

review of agricultural schemes
କୃଷି ସଂପର୍କିତ ଯୋଜନାର ସମୀକ୍ଷା କଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

By

Published : May 18, 2023, 12:21 PM IST

ଭୁବନେଶ୍ବର: କୃଷି କ୍ଷେତ୍ରରେ ବିକାଶ ଲାଗି ତ୍ବରାନ୍ବିତ କରାଯାଇଥିବା ଯୋଜନାର ସମୀକ୍ଷା କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କୃଷି ଭବନରେ ଆୟୋଜିତ ବୈଠକରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟକାରୀ ହେଉଥିବା ରିୱାର୍ଡ, କଫିଚାଷ, ପ୍ରଧାନମନ୍ତ୍ରୀ ସିଚାଇ ଯୋଜନା ଓ ଫାର୍ମପଣ୍ଡ ପ୍ଲସ ଆଦି ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଛି ।

ଜଳାଶୟମାନଙ୍କରେ ପଙ୍କୋଦ୍ଧାର କରି ତା’ର ଜଳଧାରଣ କ୍ଷମତା ବୃଦ୍ଧି ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ମୃତ୍ତିକା ଓ ଜଳବାୟୁ ଅନୁକୂଳ ଅଞ୍ଚଳରେ କଫି ଚାଷକୁ ବ୍ୟାପକ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଭାରତ ସରକାରଙ୍କ କଫି ବୋର୍ଡର ସହାୟତାରେ କଫି ଚାଷ ସଂପର୍କରେ ରାଜ୍ୟର ଚାଷୀମାନଙ୍କୁ ତାଲିମ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସେ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ କଫି ଚାଷକୁ ପ୍ରସାରିତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହାୟତାରେ କଫି ନର୍ସରୀ କରାଯାଇ ଚାରା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଏଥି ସହିତ କଫି ଚାଷ କ୍ଷେତରେ ଗୋଲମରିଚ ଚାଷର ଉପଯୁକ୍ତ ସମ୍ମିଶ୍ରଣ କରାଯାଇ ଚାଷୀଙ୍କ ଆୟବୃଦ୍ଧି ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଳ ବିଭାଜିକା ଉନ୍ନୟନ ପ୍ରକଳ୍ପ ଅଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଛେଳି ଚାଷ କରାଗଲେ ଗ୍ରାମୀଣ ମହିଳାମାନଙ୍କ ଆୟବୃଦ୍ଧି ଘଟିବ ।

ଗ୍ରାମୀଣ ଅର୍ଥନୀତିରେ ସେମାନଙ୍କ ଭାଗୀଦାରିତା ବୃଦ୍ଧି ପାଇବ । ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଫାର୍ମପଣ୍ଡ ପ୍ଲସ ଯୋଜନାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଏବଂ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ନିର୍ଦ୍ଦେଶାଳୟର ଉପଯୁକ୍ତ ସମନ୍ୱୟ ରକ୍ଷା କରି ସମନ୍ୱିତ କୃଷିରେ ଫଳଚାଷ, ମାଛଚାଷ ଓ କୁକୁଡ଼ା, ବତକ ଆଦି ଚାଷ ଦ୍ୱାରା କୃଷିଜାତ ଓ ପ୍ରାଣୀଜ ଖାଦ୍ୟଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇବ । ଏହାଦ୍ୱାରା ଚାଷୀଙ୍କ ମଧ୍ୟରେ ଫାର୍ମପଣ୍ଡ ପ୍ଲସ ଯୋଜନା ଅଧିକ ଲୋକପ୍ରିୟ ଓ ଲୋକାଭିମୁଖୀ ହୋଇପାରିବ । ବ୍ଲକ ସ୍ତରରେ ସଂପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଫାର୍ମପଣ୍ଡ ପ୍ଲସ ଯୋଜନାର ସୁଫଳକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସଠିକ ଆକଳନ ନିମନ୍ତେ ଆଡପ୍ଟ ପୋର୍ଟାଲରେ ସମସ୍ତ ତଥ୍ୟ ଅପଡେଟ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିଲ୍ଲା ଗୁଡ଼ିକୁ ପୁରସ୍କୃତ କରାଯିବ । ଆୟୋଜିତ ବୈଠକରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶୁଭମ ସାକ୍ସେନା ଯୋଜନାର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି । ତେବେ ଏହି ବୈଠକରେ ସମସ୍ତ ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details