ଖୋର୍ଦ୍ଧା: ଆଉ ମିଳୁନି ସିପଳ ପଟି । ହଜିବାକୁ ବସିଲାଣି ସିପଳ ପଟି ବେଉସା । ପେଟ ପୋଷିବା ପାଇଁ ଏବେ କିଏ ମାଛ ମାରୁଛନ୍ତି ତ ଆଉ କିଏ ଦାଦନ ଖଟିବା ପାଇଁ ଗାଁ ଛାଡୁଛନ୍ତି । ଫନି ପରେ ଚିଲିକା କୂଳରେ 3 ଗାଁର ବାସିନ୍ଦା ବିଶେଷ କରି ପ୍ରଭାବିତ ହୋଇଛନ୍ତି । ତେବେ ସିପଳକୁ କୂଳ ବେଉସା ଭାବେ ଆଦରି ନେଇଥିବା ଏହି ଗ୍ରାମବାସୀଙ୍କ ଚିନ୍ତା ବଢାଇଛି କଞ୍ଚାମାଲର ଅଭାବ ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା ଦିନ ଥିଲା, ରାଜ୍ୟରେ ସିପଳ ପଟିର ଚାହିଦା କାହିଁ କେତେ ଗୁଣ ରହିଥିଲା । ପେଟ ପାଟଣାର ମୁଖ୍ୟ ରୋଜଗାରର ମାଧ୍ୟମ ସାଜିଥିଲା ଏହି ସିପଳ ପଟି ବ୍ୟବସାୟ । ଏପରିକି ଖୋର୍ଦ୍ଧା ଜିଲ୍ଲାର ଭୁଷଣ୍ଡପୁର, କନ୍ତଳବାଇ, ସୁନ୍ଦରପୁରବାସୀ ଏହି ବ୍ୟବସାୟ ଉପରେ ନିର୍ଭରଶୀଳ ଥିଲେ । ମା' ଚିଲିକାଙ୍କ ଆଶିର୍ବାଦରୁ ପଟି ବୁଣାକାରଙ୍କ ବ୍ୟବସାୟ ମଧ୍ୟ ଭଲ ଚାଲିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ପୁରୁଷ ପୁରୁଷ ଧରି ଚାଲିଥିବା ଏହି ବେଉଷା ବର୍ତ୍ତମାନ ହଜିବାକୁ ବସିଛି ।
ସେପଟେ, କଞ୍ଚାମାଲ ଅଭାବ ସାଙ୍ଗକୁ ପ୍ରକୃତି କୋପରେ ବୁଡ଼ିବାକୁ ବସିଛି ବେଉସା । ଯାହା ଯେତିକି ମିଳୁଥିଲା ତାକୁ ମଧ୍ୟ ଉଜାଡି ଦେଇଛି ବାତ୍ୟା ଫନି । ସକାଳୁ ସଞ୍ଜ ଯାଏଁ ବୁଲିଲେ ବି ମିଳୁନି ବିଡାଏ ଘାସ । ପରିବାରର ପୁରୁଷମାନେ ଚିଲିକାରୁ ମାଛ ମାରିବା ସହ ଘାସ କାଟି ଫେରୁଥିଲେ । କିନ୍ତୁ ଏବେ ଚିଲିକାରେ ସିପାଳ ଘାସର ଅଭାବ ପରିବାର ଉପରେ ଚଡକ ପକାଇଛି । ଆଉ ଜୈବ ବିବିଧତାରେ ପରିବର୍ତ୍ତନ ଯୋଗୁଁ ଆଗଭଳି ମାଛ ମିଳୁନି । ଫଳରେ ବାଧ୍ୟ ହୋଇ ପୁରୁଷମାନେ ଭିଟାମାଟି ଛାଡି ଦାଦନ ଖଟିବାକୁ ଯାଉଥିବା ବେଳେ ଚିନ୍ତାରେ 100ରୁ ଊର୍ଦ୍ଧ୍ବ ବ୍ୟବସାୟୀ।
ବାତ୍ୟା ଫନି ଆମ ଭିତ୍ତିଭୂମି, ସରକାରୀ ସମ୍ପତ୍ତି, ଘରଦ୍ବାରକୁ ଛାରଖାର କରିଦେଲା । ତାକୁ ଭରଣା କରିବାକୁ ସରକାର ବାଟ ମଧ୍ୟ ବାହାର କରୁଛନ୍ତି । ହେଲେ ପ୍ରଳୟଙ୍କାରୀ ବାତ୍ୟା ଯୋଗୁଁ ମାଟିରେ ଲୋଟିଥିବା ଜୀବିକାକୁ ସରକାର କିପରି ଭରଣା କରିବେ ତାକୁ ହିଁ ଅପେକ୍ଷା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ