ଭୁବନେଶ୍ବର:ଏମ୍ସ ଭୁବନେଶ୍ବରରେ କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ ହୋଯାଇଛି । କବକ ଚିହ୍ନଟ, ଏନେଇ ହେଉଥିବା ସଂକ୍ରମଣ ଏବଂ ଏହାର ନିରାକରଣ ପାଇଁ ଆଜି ଏମ୍ସ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନ କେନ୍ଦ୍ର ପୂର୍ବ ଭାରତରେ ପ୍ରଥମ । ଏନେଇ ଅଧିକ ଗବେଷଣା ପାଇଁ ଏହାଏକ ରେଫରାଲ୍ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ନିକଟରେ ଫଙ୍ଗାଲ୍ ସଂକ୍ରମଣର ବ୍ୟାପକତା ବୃଦ୍ଧି ପାଇଛି । ବିଭିନ୍ନ ବ୍ୟବସ୍ଥା ସତ୍ତ୍ବେ କବକ ସଂକ୍ରମଣର ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଭଳି ଅନେକ ଅଭାବ ରହିଛି ।
ତେବେ ଏହାକୁ ପୂରଣ ପାଇଁ ସମଗ୍ର ଭାରତରେ କବକ ପାଇଁ ଉନ୍ନତ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ ଏବଂ ଡ. ମଧୁଛନ୍ଦା ଦାସ ଗୁରୁତ୍ବାରୋପ କରିଛନ୍ତି ଯେ ଉନ୍ନତ ଲାବୋରେଟୋରୀ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ଓଡ଼ିଶାବାସୀଙ୍କ ପାଇଁ ଫଙ୍ଗଲ୍ ସଂକ୍ରମଣ ପାଇଁ ଅତ୍ୟାଧୁନିକ ନିରାକରଣ ଉପଲବ୍ଧ କରାଇବା । ଫଙ୍ଗଲ୍ ସଂକ୍ରମଣର ଚିହ୍ନଟ ତଥା ଚିକିତ୍ସା ପାଇଁ ଓଡ଼ିଆ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ତାଲିମ ଦେବା ଏବଂ ଫଙ୍ଗଲ୍ ସଂକ୍ରମଣର ନିରାକରଣ ଏବଂ ପରିଚାଳନା ପାଇଁ ପୂର୍ବ ଭାରତର ବିଭିନ୍ନ ମେଡିକାଲ୍ ଡାକ୍ତରଖାନାକୁ ସହଯୋଗ କରିବା ।