ଭୁବନେଶ୍ବର:ଯୁବପିଢିଙ୍କୁ MBBS ନାମଲେଖା ଆଳରେ ଠକେଇ କରୁଥିବା ୨ ଠକ ଗିରଫ ହୋଇଛନ୍ତି । NRI କୋଟାରେ ଚାଲୁଥିବା ବଡ଼ ଜାଲିଆତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଭୁବନେଶ୍ୱରରେ ଅଫିସ ଖୋଲି ଠକୁଥିବା ୨ ଠକଙ୍କୁ ପୋଲିସ ଗିରଫ କରିଛି । ନାମୀ ଦାମୀ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଆଳରେ ଠକୁଥିବା ଏକ ଠକେଇ ଗ୍ରୁପର ପର୍ଦ୍ଦାଫାସ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଅଭିଯୁକ୍ତମାନେ ହେଲେ ଅଭିନନ୍ଦନ ବାରିକ ଓ ରାଜେଶ ରୋସନ ସାହୁ । ଗିରଫ ପରେ ସେମାନଙ୍କଠାରୁ 2ଟି ଦାମୀ କାର, 2ଟି ଲାପଟପ୍, 3ଟି ଟଙ୍କା ଗଣା ମେସିନ, 4 ଲକ୍ଷ 50 ହଜାର ନଗଦ ଟଙ୍କା ଜବତ କରାଯାଇଛି ।
ଧନୀ ଘରରର ପୁଅ ଝିଅଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଛାତ୍ରଛାତ୍ରୀଙ୍କୁ ଡ଼ାକ୍ତରୀ ଓ ଇଞ୍ଜିନିୟରିଂର ସ୍ବପ୍ନ ଦେଖାଇବା ସହ ନାମିଦାମୀ ଶିକ୍ଷାନୁଷ୍ଠାନରେ ଆଡମିଶନର ଲୋଭ ଦେଖାଉଥିଲେ । ଟଙ୍କା ଦେଲେ ମ୍ୟାନେଜ୍ମେଣ୍ଟ ଓ NRI କୋଟାରେ ଆଡମିଶନ କରାଇଦେବାକୁ କହି ଚଳୁ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଭୁବନେଶ୍ୱର ନୟାପଲ୍ଲୀରେ ଅଫିସ ଖୋଲି ଏହିଭଳି ଉପାୟରେ ସେମାନେ ଠକେଇ କରି ଆସୁଥିଲେ । ଏମିତି ଏକ ରାକେଟ୍ ବିଗତ କିଛି ଦିନ ଧରି ଅପରେଟ୍ ହେଉଥିବା ଖବର ପାଇ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ କରିଥିଲା ଅଣ୍ଡର କଭର ଅପରେସନ ।
ଏମବିବିଏସ, ବି-ଟେକ, ଫାର୍ମା, ଏମବିଏ, ନର୍ସିଂ, ଲ ଓ ପଲିସ ମେକିଂ ଭଳି କୋର୍ସ ପାଇ ପ୍ରମୁଖ ବିଶ୍ଵବିଦ୍ୟାଳୟରେ ସିଟ୍ କରାଇ ଦେବାର ଦେଉଥିଲେ ଅଫର । ଏଥିପାଇଁ ପ୍ରଥମେ ଆଡଭାନସ ପରେ ସିଟ୍ ସ୍ଲଟ୍ ବୁକିଂ ଭଳି ବିଭିନ୍ନ ଆଳ ଦେଖାଇ ଠକୁଥିଲେ ମୋଟା ଅଙ୍କର ଟଙ୍କା । ଏପରିକି NRI କୋଟାରେ ଆଡମିଶନ ଥିଲା ପ୍ରମୁଖ ମାଧ୍ୟମ । ଝାରୁସୁଗୁଡାର ଜଣେ ଅଭିଯୋଗକାରୀଠାରୁ ଏକ ନାମୀ ବିଶ୍ବବିଦ୍ୟାଳୟରେ ମେଡିକାଲ ସିଟ୍ ପାଇଁ ଆଡମିଶନ କରାଇ ଦେବା ନାଁରେ ନେଇଥିଲେ ସାଢେ ୩ ଲକ୍ଷ ଟଙ୍କା ।