ଭୁବନେଶ୍ବର:ଆଦିବାସୀ ମେଳା ୨୦୨୩ ଉଦଯାପିତ ହୋଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳା 10 ଦିନ ହେବ ଚାଲିଥିଲା । ଫେବୃଆରୀ 20ରୁ ୟୁନିଟ୍-୧ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ମେଳା । ଦଶ ଦିନ ଧରି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଛି । ମେଳାରେ ୧୦ ଦିନରେ 2.50 କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଥିବା ସୂଚନା ମିଳିଛି ।
ଜନଜାତି କ୍ଷେତ୍ରରେ ୧୮ ଜଣ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ଉପାୟନ, ମାନପତ୍ର ଏବଂ ଅର୍ଥରାଶି ଦେଇ ସମ୍ମାନୀତ କରାଯାଇଛି । ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡ଼ାର ଡାକ୍ତର ଭୀଷ୍ମନାରାୟଣ ଶବର, ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ କଳାହାଣ୍ଡିର ପବିତ୍ର ଶବର, ଲୋକସଙ୍ଗୀତ ଓ ଲୋକନୃତ୍ୟ କ୍ଷେତ୍ରରେ କଳାହାଣ୍ଡିର ସଦନ ପ୍ରଗଣିଆ, ଲୋକସାହିତ୍ୟ, ଲୋକକଳା ଓ ସଙ୍ଗୀତ କ୍ଷେତ୍ରରେ କଳାହାଣ୍ଡିର କ୍ଷିତୀଶ ଚନ୍ଦ୍ର ମାଝୀ, ଯୋଗ ଓ ନାଟକ କ୍ଷେତ୍ରରେ ନୂଆପଡ଼ାର କୁମାରୀ ଜୈମିନୀ ଝାଙ୍କର, ପାରମ୍ପରିକ ଚିକିତ୍ସା ଓ ସାନ୍ତାଳୀ ଭାଷା ସାହିତ୍ୟ ପାଇଁ ମୟୂରଭଞ୍ଜର କୁଶାଲ ହେମ୍ବ୍ରମ, ଲୋକନୃତ୍ୟ ପାଇଁ କଳାହାଣ୍ଡିର କୁମୁଦଚନ୍ଦ୍ର ପୁଝାରୀ, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ କଳାହାଣ୍ଡିର ଗୋପୀନାଥ ଶବରଙ୍କୁ ସମ୍ମାନିତ କରାଯାଇଛି ।
ସେହିପରି ଜନଜାତି ସାହିତ୍ୟ ପାଇଁ କନ୍ଧମାଳର ପ୍ରଦୀପ କହଁର, ସାହିତ୍ୟ ପାଇଁ ସୁନ୍ଦରଗଡ଼ର କ୍ଷୀରେଶ୍ବରୀ କିଷାନ, ଜନଜାତି ଲୋକବାଦ୍ୟ ଓ ଗୀତ ପାଇଁ ବଲାଙ୍ଗୀରର ସୁଦାମ ବିଶି, ସମାଜ ସେବା ଓ ଯୋଗ ପାଇଁ ବଲଙ୍ଗିରର ଦମୟନ୍ତୀ କୁମୁରା, ଚିତ୍ରକଳା ପାଇଁ ବଲାଙ୍ଗୀରର କୁମାରୀ ସଙ୍ଗୀତା ମାଝୀ, ସାନ୍ତାଳୀ ସାହିତ୍ୟ ପାଇଁ ମୟୂରଭଞ୍ଜର ଜୟରାମ ଟୁଡୁ, ସାନ୍ତାଳୀ ସାହିତ୍ୟ ଓ ସମାଜ ସେବା ପାଇଁ ମୟୂରଭଞ୍ଜର ଗଣେଶ୍ବର ହେମ୍ବ୍ରମ, ମୁଣ୍ଡାରୀ ଭାଷା ଓ ସାହିତ୍ୟ ପାଇଁ ମୟୂରଭଞ୍ଜର ସନ୍ତୋଷ କୁମାର ସିଂହ, ରଗ୍ବି କ୍ରୀଡ଼ା ପାଇଁ ମୟୂରଭଞ୍ଜର ଦିବ୍ୟ ରଞ୍ଜନ ଦାସ, ଓଡ଼ିଆ ସାହିତ୍ୟ ପାଇଁ ମୟୂରଭଞ୍ଜର ଡାକ୍ତର ରାଜକୁମାର ନାଏକ ପ୍ରମୁଖ ସମ୍ମାନିତ ହୋଇଛନ୍ତି ।