ଭୁବନେଶ୍ବର/କଟକ:ଦଶହରା ପାଇଁ ଚଳଚଞ୍ଚଳ ଟ୍ବିନ୍ ସିଟି । ପୂଜାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଏନେଇ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ଚଳିତ ଥର ରାଜଧାନୀର ୧୮୮ଟି ସ୍ଥାନରେ ହେବ ଦୁର୍ଗାପୂଜା । ତେଣୁ ସୁରକ୍ଷା ଦାୟିତ୍ବରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ଆସନ୍ତା ୨୦ ରୁ ୨୫ ତାରିଖ ଯାଏଁ ପୋଲିସ ଛାଉଣୀରେ ରହିବ ପୁରା ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡ଼ାକଡ଼ି କରାଯିବ । ଭାରିଯାନ ଚଳାଚଳରେ ମଧ୍ୟ ରହିବ ପ୍ରତିବନ୍ଧକ। ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା । ଏନେଇ ବିଭିନ୍ନ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି । ୬ଟି ଜାଗାରେ କଣ୍ଟ୍ରୋଲ ରୁମ୍ କରିଛି କମିଶନରେଟ ପୋଲିସ ।"
ଅନ୍ୟପଟେ ପୂଜା ସମୟରେ ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି । ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ସହରରେ ନିୟୋଜିତ ହେବେ । ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ । ସିସିଟିଭି ନଜରରେ ରହିବ ସହରର ଛକ ଓ ଗଳିକନ୍ଦି । ପୂଜା ଦେଖିବାକୁ ଗଲାବେଳେ ନିଜ ଘରର ସୁରକ୍ଷା ନେଇ ସଚେତନ ରହିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର । ଏହାସହ ସହରବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପୋଲିସ କମିଶନର ।
ଏହା ବି ପଢନ୍ତୁ...ପୂଜା ସମୟରେ ଚାନ୍ଦା ଆଦାୟକୁ ନା, ଟୋଲ ଫ୍ରି ନମ୍ବର ଜାରି କଲା କମିଶନରେଟ ପୋଲିସ