ଭୁବନେଶ୍ବର:ଯକୃତ ପ୍ରତିରୋପଣ ପାଇଁ ହାଇଦ୍ରାବାଦ ଗଲେ ଅଭିନେତା ପିଣ୍ଟୁ ନନ୍ଦ । ଦିଲ୍ଲୀରେ ହୋଇ ପାରିଲାନି ପିଣ୍ଟୁଙ୍କ ଯକୃତ ପ୍ରତିରୋପଣ । ତେଣୁ ଆଜି (ଶନିବାର) ତାଙ୍କୁ ହାଇଦ୍ରାବାଦ ଯଶୋଦା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅଭିନେତା ଶ୍ରୀତମ ଦାସ । ଲିଭର ସୋରାସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆଦିଲ୍ଲୀ ସ୍ଥିତ ILVS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ପରିବାର ଲୋକଙ୍କ ଯକୃତ ମେଳ ଖାଉନଥିବାରୁ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି ।
ପୂର୍ବରୁ ସେ କିମ୍ସରେ ଚିକିତ୍ସାଧୀନ ହେଉଥିବା ବେଳେ ତାଙ୍କର ଯକୃତ ପ୍ରତିରୋପଣ ପାଇଁ ଦିଲ୍ଲୀ ନିଆଯାଇଥିଲା । ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ସମୟରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବାରୁ ଦିଲ୍ଲୀ ନିଆଯାଇଥିଲା । ସେଠାରେ ତାଙ୍କର ଅପେରସନ ହୋଇଥାନ୍ତା । ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଯଦି ଏହା ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ ବୋଲି ଡାକ୍ତର କହିଛନ୍ତି । ସେପଟେ ପରିବାରଙ୍କ କହିବା ଅନୁସାରେ, ପୂର୍ବରୁ ତାଙ୍କ ସଂପର୍କୀୟଙ୍କ ମଧ୍ୟରୁ ଦୁଇ ଜଣ ଲିଭର ଡୋନର ସ୍ଥିର ହୋଇଥିଲା । ଦିଲ୍ଲୀରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ତାହା ବି ସଫଳ ହୋଇପାରିଲା ନାହିଁ । ଯେଉଁଥିପାଇଁ ତାଙ୍କୁ ଆଜି ହାଇଦ୍ରାବାଦ ନିଆଯାଇଛି ।