ଭୁବନେଶ୍ବର: ବନ ବିଭାଗର ଅବହେଳା ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଣଗେଜେଟେଡ ବନସେବା ସଂଘ । ଶିମିଳିପାଳରେ ଶିକାରୀ ଗୁଳିରେ ୨ ଜଣ ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ୫ ଦଫା ଦାବି ନେଇ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ଅଣଗେଜେଟେଡ ବନସେବା ସଂଘ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ବନ କର୍ମଚାରୀଙ୍କର ଲିଖିତ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବନ କର୍ମଚାରୀଙ୍କର ଲିଖିତ ଦାବି ମୋ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିନାହିଁ । ଲିଖିତ ଦାବି ଆସିଲେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ଯାହା ନେବା କଥା ନିଆଯିବ । ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଏନେଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଉଛି । ବନ କର୍ମଚାରୀଙ୍କ ସୁରକ୍ଷା, ଶିକାର ରୋକ ପାଇଁ ପଦକ୍ଷେପ ନିଆଯାଇଛି । ଜଙ୍ଗଲ ସୁରକ୍ଷା ପାଇଁ ବନ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଉଛନ୍ତି । ସଂଗ୍ରାମ କରି ଶହୀଦ ହେଉଛନ୍ତି । ଜଙ୍ଗଲ ଓ ଜୀବଜନ୍ତୁ ସଂଖ୍ୟା ବୃଦ୍ଧି ପାଇଁ ସେମାନଙ୍କର ପ୍ରମୁଖ ହାତ ରହିଛି । ସେମାନଙ୍କ ସୁରକ୍ଷା ପାଇଁ ସରକାର ସଚେତନ ଅଛନ୍ତି । ଖସଡା ପ୍ରସ୍ତୁତ ହେଉଛି ।