ଭୁବନେଶ୍ବର:୨୦୦୯ ମସିହାରେ ଏକତରଫା ପ୍ରେମକୁ ନେଇ ତାଙ୍କ ଉପରେ ଏସିଡ ମାଡ଼ ହୋଇଥିଲା । ଘଟଣା ପରେ ତାଙ୍କ ଚେହେରାରେ ସିନା ପରିବର୍ତ୍ତନ ଆସିଥିଲା, ହେଲେ ତାଙ୍କ ସାହସିକତା ଓ ସଂଘର୍ଷପୂର୍ଣ୍ଣ ମନୋଭାବ ଉପରେ ଆଞ୍ଚ ଆସିନଥିଲା । ସେ ସବୁ କିଛି ସହ୍ୟ କରି ଜୀବନ ଯାତ୍ରାରେ ଆଗକୁ ବଢିଥିଲେ । ୨୦୨୧ ମସିହାରେ ତାଙ୍କୁ ଜୀବନ ସାଥୀଟିଏ ମଧ୍ୟ ମିଳିଥିଲା । ଆଉ ବିବାହର ୨ ବର୍ଷ ପରେ ପୁତ୍ର ସନ୍ତାନର ମାଆ ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର ଏସିଡ ପୀଡି଼ତା ପ୍ରମୋଦିନୀ ରାଉଳ । ମାତୃତ୍ବ ଲାଭ ପରେ ତାଙ୍କ ଜୀବନଯାତ୍ରା ଆଜି ପ୍ରତିଟି ବ୍ୟକ୍ତି ପାଇଁ ଉଦାହରଣ ପାଲଟିଛି । ନା ସେ ସେତେବେଳେ ହାର ମାନିଥିଲେ ନା ଆଜି । ଖରାପ ସମୟକୁ ଚ୍ୟାଲଞ୍ଜ ଦେଇ ଆଜି ସେ ଜଣେ ସଫଳ ନାରୀ ହୋଇପାରିଛନ୍ତି ।
ଏସିଡ ପୀଡିତା ବୋଲି ଜୀବନରେ ମାଆ ହୋଇପାରିବେ ନାହିଁ ବୋଲି ଅନେକ କହୁଥିଲେ । ପ୍ରମୋଦିନୀ କେବେ ମନ ଉଣା କରିନଥିଲେ । ସବୁକିଛି ପରି ଏହାକୁ ମଧ୍ୟ ସେ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ । ଆଜି ମାତୃତ୍ବ ଲାଭ କରିବା ପରେ ସେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଛନ୍ତି । ଏ ନେଇ ସେ କହିଛନ୍ତି, "ସମସ୍ତଙ୍କ ଜୀବନରେ କିଛି ନା କିଛି ବଡ ଝଡ ଆସିଥାଏ । ତେଣୁ ସମସ୍ୟା ବା ଝଡ ଯେମିତି ବି ହେଉ ସାହସର ସହ ସାମ୍ନା କରିବାକୁ ପଡିବ କେବେ ହାରିବାର ନାହିଁ । ମୁଁ ବି ସେମିତି ଏସିଡ ଆକ୍ରମଣ ପରି ବଡ ଅପରାଧକୁ ସାମନା କରିଥିଲି । ମୁଁ ହାରିନଥିଲି । ଏହାରି ଭିତରେ ମୋ ଜୀବନର ଆଜି ବଡ ଖୁସିର ଦିନ କି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛି ଵା ମାଆ ହୋଇଛି । "
ଏହା ବି ପଢନ୍ତୁ- ନବ ଦମ୍ପତି ପ୍ରମୋଦିନୀ-ସରୋଜଙ୍କୁ ଆଶୀର୍ବାଦ ଦେଲେ ରାଜ୍ୟପାଳ
ସେ ଆହୁରି କହିଛନ୍ତି, "ଏସିଡ ଆକ୍ରମଣ ପରେ ମାଆ ହେବା ଅସମ୍ଭବ ସମସ୍ତେ ମତେ ମନା କରୁଥିଲେ । ହେଲେ ମୁଁ ସେସବୁକୁ ଧୈର୍ଯ୍ୟର ସହ ଚୁପ ହୋଇ ଶୁଣିଥିଲି । ସବୁକିଛି ଶୁଣି ବି ଆଗକୁ ବଢିଥିଲି ଆଉ ଆଜି ମାଆ ହେବାର ସୌଭାଗ୍ୟ ପାଇଛି । ମୋ ସ୍ବାମୀଙ୍କ ସ୍ନେହ ଭଲପାଇବା ଓ ସମର୍ଥନ ପାଇଁ ସମ୍ଭବ ହୋଇଛି । ମୁଁ ମାଆ ହେବାର ସୌଭାଗ୍ୟ ପାଇଁ ଖୁସି ହୋଇଛି । ଯଦି ଆପଣଙ୍କ ଜୀବନରେ ଏମିତି କିଛି ହେଉଛି ତେବେ କେବେ ହାର ମାନିବେନି । କାରଣ ଯେତେ ହାର ମାନିବେ ସମାଜ ଆପଣଙ୍କୁ ସେତେ ହାର ମନାଇବ । ଆପଣ ନିଜେ ଶକ୍ତ ବା ଦୃଢ ହୋଇ ଚାଲିଲେ ଜୀବନରେ ସବୁକିଛି ପାଇପାରିବେ ।"