ଭୁବନେଶ୍ବର: ଓଡିଶା କର୍ମଚାରୀ ଚୟନ ଆୟୋଗ (Odisha Staff Selection Commission) ଙ୍କ ଦ୍ୱରା ୨୦୨୨ ବର୍ଷରେ ୫୩ଟି ନିଯୁକ୍ତି ବିଜ୍ଞାପନର ଫଳାଫଳ ଚୁଡ଼ାନ୍ତ ହୋଇ ପ୍ରକାଶିତ ହୋଇଛି । ଏଥି ମଧ୍ୟରେ ୨୦୧୬ ବର୍ଷର ୬ଟି ନିଯୁକ୍ତି ବିଜ୍ଞାପନ, ୨୦୧୭ର ୮ଟି, ୨୦୧୮ ର ଦୁଇଟି, ୨୦୧୯ ର ୧୬ଟି, ୨୦୨୦ ର ତିନୋଟି, ୨୦୨୧ ର ୧୪ ଟି ଏବଂ ୨୦୨୨ ର ଦୁଇଟି ନିଯୁକ୍ତି ବିଜ୍ଞାପନ ରହିଛି । ଏହି ସମସ୍ତ ପ୍ରକ୍ରିୟାରେ ୨୪୮୮ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ଓଡିଶା କର୍ମଚାରୀ ଚୟନ ଆୟୋଗଙ୍କ ବାର୍ଷିକ ବିବରଣୀରେ ପ୍ରକାଶ ପାଇଛି ।
ଏହାବି ପଢନ୍ତୁ- ବାପାକୁ କୋଦାଳରେ ହାଣି ମୃତଦେହକୁ ଦୁଇଦିନ ଲୁଚାଇ ରଖିଥିଲା ପୁଅ, ପିତୃହନ୍ତା ଗିରଫ
ମିଳିତ ନିଯୁକ୍ତି ପରୀକ୍ଷା ଉଭୟ କର୍ମଚାରୀ ଚୟନ ଆୟୋଗ ଏବଂ ଆବେଦନକାରୀଙ୍କ ସମୟ ଏବଂ ପ୍ରୟାସକୁ ହ୍ରାସ କରୁଥିବା ପରିପ୍ରେକ୍ଷୀରେ ଓଏସଏସସିର ସୁପାରିଶ କ୍ରମେ ସରକାର ଛଅଟି ମିଳିତ ନିଯୁକ୍ତି ପରୀକ୍ଷା ସଂପର୍କରେ ସୂଚନା ଦେଇଛନ୍ତି । ଅନ୍ୟ ଏକ ମିଳିତ ପରୀକ୍ଷାର ସୂଚନା ମଧ୍ୟ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଦିଆଯିବ । ନଭେମ୍ବର ୨୦୨୨ ଏବଂ ଡିସେମ୍ବର ୨୦୨୨ରେ ପାଞ୍ଚଟି ମିଳିତ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ ଆମନ୍ତ୍ରଣ କରାଯାଇଛି । ଓଏସଏସସି ପକ୍ଷରୁ ୨୦୨୨ ଅଗଷ୍ଟ ମାସ ପରଠାରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କମ୍ପ୍ୟୁଟର ଭିତ୍ତିକ ପ୍ରାଥମିକ ପରୀକ୍ଷା କରାଯାଉଛି । ପୂର୍ବରୁ ଏହା କେବଳ ପାଞ୍ଚ-ଛଅଟି ଜିଲ୍ଲାରେ କରାଯାଉଥିଲା । ପୂର୍ବରୁ ନିଯୁକ୍ତି ପାଇଁ ବିଜ୍ଞାପନ କେବଳ ଇଂରାଜୀରେ ପ୍ରକାଶ ପାଉଥିବାବେଳେ ଏବେ ଓଡ଼ିଆ ଏବଂ ଇଂରାଜୀ ଉଭୟ ଭାଷାରେ ବିସ୍ତୃତ ବିଜ୍ଞାପନ ପ୍ରକାଶିତ ହେଉଛି ।