ଭୁବନେଶ୍ବର:ରାଜ୍ୟରେ ପ୍ରତ୍ୟେକ ପରିବାରକୁ ଦୁଇ ଶହ ୟୁନିଟ ମାଗଣା ବିଦ୍ୟୁତ ପ୍ରଦାନ ନେଇ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କଲା ଆମ ଆଦମି ପାର୍ଟି । ମାଗଣା ବିଦ୍ୟୁତ୍ ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ନିକଟରେ 5 ଲକ୍ଷ ଲୋକଙ୍କର ଦସ୍ତଖତ ସମ୍ବଳିତ ଦାବିପତ୍ର ଦେଲା ଆପ । କିନ୍ତୁ ଦାବିପତ୍ର ଗ୍ରହଣ କଲେ ନାହିଁ ମୁଖ୍ୟମନ୍ତ୍ରୀ । ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଘୋଷଣା କରାଯାଇଛି ।
ଗୁରୁବାର ଭୁବନେଶ୍ୱର ଲୋୱର ପିଏମଜିରେ ଆମ ଆଦମୀ ପାର୍ଟି ତରଫରୁ ପ୍ରତିବାଦ କରାଯାଇଥିଲା । ସାରା ରାଜ୍ୟରୁ ଆପ ନେତା ଓ କର୍ମୀ ମାନେ ଏକାଠି ହୋଇ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ଏହି ସମୟରେ ଅଶୋକ ନଗର ଛକରେ ପୋଲିସ ଆପକର୍ମୀ ମାନଙ୍କୁ ଅଟକାଇଲା । ପରେ ପ୍ରତି ଜିଲ୍ଲାର ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଦାବି ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କର ପ୍ରତିନିଧି ତଥା OSDଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ସେ ଏହାର ପ୍ରାପ୍ତି ସ୍ବୀକାର ନ କରିବାରୁ ଦଳର କର୍ମକର୍ତ୍ତା ଆଉ ସମର୍ଥକମାନେ ଦାବିପତ୍ର ଧରି ଫେରିଆସିଥିଲେ ।
ଏହାପରେ ଆପ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିଲା । ଯେଉଁଠାରେ ଓଡ଼ିଶାରେ 200 ୟୁନିଟ ଦେୟମୁକ୍ତ ବିଜୁଳି ଦେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲା ଆମ ଆଦମୀ ପାର୍ଟି । ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସବୁବେଳେ ବଳକା ରାଜ୍ୟ। ନବୀନ ପଟ୍ଟନାୟକଙ୍କ ସରକାର ଏତେ ଯୋଜନା କରିଛନ୍ତି, ସେହିଭଳି 200 ୟୁନିଟ ମାଗଣା ବିଜୁଳି ମଧ୍ୟ ରାଜ୍ୟବାସୀଙ୍କୁ ଦିଅନ୍ତୁ । ଆମ ସରକାର ଦିଲ୍ଲୀରେ ଘର ପିଛା 200 ୟୁନିଟ ବିଜୁଳି ମାଗଣାରେ ଦେଉଛନ୍ତି । 400 ୟୁନିଟରୁ ଅଧିକ ହେଲେ ଅଧା ଦାମରେ ଦେଉଛନ୍ତି। ପଞ୍ଜାବରେ ଆପ ସରକାର 300 ୟୁନିଟ ମାଗଣା ବିଜୁଳି ଦେଉଛନ୍ତି । 80 ପ୍ରତିଶତ ଘରେ ବିଜୁଳି ବିଲ ଶୂନ ଆସୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଆପ ସାଂସଦ ସଞ୍ଜୟ ସିଂହ ।