ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଏକ ଆଶ୍ଚର୍ଯ୍ୟଚକିତ କରିବା ପରି ଘଟଣା ସାମ୍ନାକୁ ଆସିଛି । ସୁଉଚ୍ଚ ଆପାର୍ଟମେଣ୍ଟର ୧୭ ମହଲା ଉପରୁ ଉଦ୍ଧାର ହୋଇଛି ଏକ ଢମଣା ସାପ । ଏହା ସାପର ଏକ ବିଶ୍ବ ରେକର୍ଡ ବୋଲି କୁହାଯାଉଛି । ଏହା ପୂର୍ବରୁ ମୁମ୍ବାଇର ଘାଟକୋପରର ୧୩ ମହଲା କୋଠା ଉପରୁ ଏକ ଅଜଗର ଉଦ୍ଧାର ହୋଇଥିଲା । ହେଲେ ଆଜି ୧୭ ମହଲାରୁ ଢମଣା ଉଦ୍ଧାର ହେବାକୁ ନେଇ ଆଜି ଦିନ ତମାମ ଚର୍ଚ୍ଚା ଲାଗି ରହିଛି । ଉଦ୍ଧାର ସାପକୁ ପ୍ରାକୃତିକ ଆବାସସ୍ଥଳରେ ଛାଡି ଦିଆଯାଇଛି ।
ଭୁବନେଶ୍ବର ସିଜୁଆ ସ୍ଥିତ ୧୮ ମହଲା ଉଚ୍ଚ ଭିପୁଲ ଗ୍ରୀନ୍ ଆପାର୍ଟମେଣ୍ଟର ୧୭ ମହଲାରେ ଥିବା A-1701 ନମ୍ବର ଘରୁ ଉଦ୍ଧାର ହୋଇଛି ଏକ ଢମଣା ସାପ । ଆଜି (ଶୁକ୍ରବାର) ସକାଳେ ଘର ଭିତରେ ଏକ ହଳଦିଆ ରଙ୍ଗର ସାପକୁ ଦେଖି ଭୟଭୀତ ହୋଇଥିଲେ ସେଠାରେ ରହୁଥିବା ବ୍ୟକ୍ତି । ଏନେଇ ସେ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ ଯୋଗେ ଜଣାଇଥିଲେ । ୧୭ ମହଲାକୁ ସାପ ଯିବା କଥା ସହଜରେ ବିଶ୍ବାସ କରି ପାରିନଥିଲେ ଶୁଭେନ୍ଦୁ । କାରଣ ସମଗ୍ର ପୃଥିବୀରେ କୌଣସି ସ୍ଥାନରେ ୧୭ ମହଲାକୁ ସାପ ଚଢିବା ଦେଖାଯାଇନାହିଁ । ତେବେ ଚଳିତ ବର୍ଷ ଜୁଲାଇ ୨୦୨୩ରେ ମୁମ୍ବାଇର ଘାଟକୋପରର ୧୩ ମହଲା କୋଠା ଉପରକୁ ଏକ ୪ ଫୁଟ ଲମ୍ବର ଅଜଗର ସାପ ଚଢ଼ି ଯାଇଥିଲା । ସାପ ଉଦ୍ଧାରକାରୀମାନେ ତାକୁ ଉଦ୍ଧାର କରିଥିଲେ । ସେହି ଘଟଣାକୁ ଦୃଷ୍ଟିରେ ରଖି ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ ।