ଭୁବନେଶ୍ବର: ଭୁବନେଶ୍ୱର ଅଭାବନୀୟ ଘଟଣା । ପଟିଆ ରେଲୱେ ଷ୍ଟେସନ ନିକଟରେ କୂଅରେ ପଡି ଜଣେ ମୃତ, ୨ଜଣ ଗୁରୁତର । ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତେବେ ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅରେ ଖସିପଡ଼ିଥିଲେ ୩ଜଣ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ଅନୁଯାୟୀ, ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ନିକଟରେ ଥିବା ମହାବୀର ନଗରରେ ଏକ ଗଭୀର କୂଅ ରହିଛି । ଯେଉଁଠାରେ ଆଜି ସକାଳେ ସମୟରେ ଏକ ବିଲେଇଟି ପଡ଼ିଯାଇଥିଲା । ବିଲେଇକୁ ଉଦ୍ଧାର କରିବାର ପାଇଁ ଆଇସକ୍ରିମ ବେପାରୀ ଶିବରାମ ସାହୁ କୂଅ ଭିତରକୁ ପଶିଥିଲେ । ହେଲେ କୂଅଟି ୫୦ଫୁଟ ଗଭୀର ଥିବାରୁ ଶିବରାମ ନିଜେ ପାଣିରେ ବୁଡି ଯାଇଥିଲେ । ଏହାଦେଖି ତାଙ୍କ ଭାଇ ଓ ସାଙ୍ଗ ଶିବରାମଙ୍କୁ ଉଦ୍ଧାର କରିବା ପାଇଁ କୂଅରେ ପ୍ରବେଶ କରିଥିଲେ । ହେଲେ ତିନି ଜଣ ଅକ୍ସିଜେନ ଅଭାବରୁ ପାଣିରେ ବୁଡି ଯାଇଥିଲେ ।
ତୁରନ୍ତ ଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚିଥିଲା । ଅଗ୍ନିଶମ ଟିମ ତିନିଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଶିବରାମ ସାହୁଙ୍କ ମୃତ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ । ପରେ ଅନ୍ୟ ଦୁଇ ଜଣ ଗୁରୁତର ଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଯେଉଁ ବିଲେଇ ପାଇଁ ଶିବରାମ କୂଅକୁ ଯାଇଥିଲେ ସେହି ବିଲେଇର ମଧ୍ୟ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତକ ବ୍ୟକ୍ତିର ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ....ରିଲ୍ସ କରିବାକୁ ଆସି ପାଣିରେ ବୁଡି ଯୁବକ ମୃତ
ତେବେ ଗତ ୨୪ ସେପ୍ଟେମ୍ବରରେ ମଧ୍ୟ ରାଜଧାନୀରେ ଏହିପରି ଏକ ଅଘଟଣ ଘଟିଥିଲା । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏକ ପୋଖରୀରେ ବୁଡିଯାଇଥିଲେ ଦୁଇ ଛାତ୍ର । ଟିଉସନ ସାରି ପୋଖରିପୁଟ ଝାରପଖୋରିରେ ଗୋଧୋଉଥିବା ବେଳେ ଜଣେ ଦୁଇ ଛାତ୍ର ପଙ୍କ ଭିତରେ ଫସିଯାଇଥିଲେ ।ଫଳରେ ନା ପହଁରି ବାହାରି ପାରିଥିଲେ ନା ତାଙ୍କ ସହ ଥିବା ପିଲା ତାଙ୍କୁ ଉଦ୍ଧାର କରିପାରିଥିଲେ। ଫଳରେ ସେହି ଠାରେ ଗଣ୍ଡମୁଣ୍ଡା ସ୍କୁଲର ଦୁଇ ଛାତ୍ର ପ୍ରକାଶ ମହାରଣା ଓ ଶୁଭମ ଜେନା (ଗୁଡୁ) ମୃତ୍ୟୁ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର।
ଇଟିଭି ଭାରତ, ଭୁବନେଶ୍ବର