ଭୁବନେଶ୍ବର: ଦକ୍ଷିଣ ପୂର୍ବ ବିହାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଝାଡଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଯାହା ଫଳରେ ଆସନ୍ତାକାଲି(ରବିବାର) ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏହି ଜିଲ୍ଲା ଗୁଡ଼ିକରେ ବିସ୍ତୃତ ଭାବେ ବର୍ଷ ସମ୍ଭାବନା ରହିଛି । ଏହାସହ ଅନ୍ୟ ଜିଲ୍ଲା ଗୁଡ଼ିକରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭିଗ ପକ୍ଷରୁ ସୂଚନା ରହିଛି । ବର୍ଷାକୁ ନେଇ ୨୦ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡ଼ା ଏହି ତିନି ଜିଲ୍ଲାକୁ ପ୍ରବଳ ବର୍ଷାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି ।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ‘‘ ଆସନ୍ତାକାଲି (ରବିବାର) ପରେ କମିବ ବର୍ଷାର ପରିମାଣ । ପୁଣି ଆସନ୍ତା ୨୯ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଅକ୍ଟୋବର ପହିଲାରେ ଲଘୁଚାପ ସମ୍ଭାବନା ରହିଛି । ସେପ୍ଟେମ୍ବର ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି । ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରହିଛି । ଏହାସହ ଏହା ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ।’’