ଭୁବନେଶ୍ବର:ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ଠାରୁ ଆରମ୍ଭ ହେବ ପାଠପଢ଼ା । ଏଥିପାଇଁ ନାମଲେଖା ପକ୍ରିୟା ଆରମ୍ଭ ହୋଇଛି । ଇଣ୍ଟିଗ୍ରେଟେଡ ଏମଏ ପିଏଚ୍ଡିରେ ନାମଲେଖା ପାଇଁ 838 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ବିଶ୍ବବିଦ୍ୟାଳୟର ୱେବସାଇଟ୍ ହୋଇପାରିଲା ନାହିଁ । ଚଳିତ ମାସ ୧୫ ତାରିଖ ସୁଦ୍ଧା ୱେବସାଇଟ୍ ପ୍ରସ୍ତୁତ ହେବାର ଥିଲା ।
ବର୍ତ୍ତମାନ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ୭୨ଟି ସିଟ ରହିଥିବା ବେଳେ ୩ଟି ବିଭାଗ ରହିଛି । ପ୍ରତ୍ୟେକ ବିଭାଗରେ ୨୪ ଲେଖାଏଁ ସିଟ ରହିଛି । ଓଡ଼ିଆ ବିଶ୍ୱବିଦ୍ୟାଳୟରେ ୩ଟି ବିଷୟରେ ଛାତ୍ରଛାତ୍ରୀ ପାଠ ପଢିବେ । ବିଷୟ ଗୁଡ଼ିକ ହେଲା ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଆଞ୍ଚଳିକ ଆଦିବାସୀ ଭାଷା ଓ ଐତିହ୍ୟ ବିଭାଗ । ଅନ୍ୟପଟେ ଚଳିତ ମାସ ୧୫ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟର ଏକ ପୂର୍ଣ୍ଣାଙ୍ଗ ୱେବସାଇଟ୍ ପ୍ରସ୍ତୁତ କରାଯାଇ ସେଥିରେ ସମସ୍ତ ପ୍ରକାରର ସବିଶେଷ ତଥ୍ୟ ଦେବାକୁ ନିଷ୍ପତି ହୋଇଥିଲା । ହେଲେ ନାମଲେଖା ପକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଏପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ୱେବସାଇଟ୍ ତିଆରି ହୋଇପାରିନାହିଁ । www.odiauniversity.ac.in ୱେବସାଇଟ୍ରେ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ସମସ୍ତ ତଥ୍ୟ ରହିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରିନାହିଁ ।