ଭୁବନେଶ୍ବର: ଆସନ୍ତାକାଲି ୮୦ ତମ ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ବିଶ୍ଵବିଦ୍ୟାଳୟ । ରାଜ୍ୟର ସର୍ବ ପୁରାତନ ବିଶ୍ବବିଦ୍ୟାଳୟ ଏହା ଭିତରେ ଅନେକ ଉନ୍ନତି କରିଥିବାବେଳେ NAAC A+ ମାନ୍ୟତା ମଧ୍ୟ ପାଇଛି । ଆଗକୁ ନୂଆ ଶିକ୍ଷା ନୀତି ଆଧାରରେ ଅନେକ ଯୋଜନା କରିବା ସହ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଚେଷ୍ଟିତ ଥିବା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ରବିବାର ୮୦ ତମ ପ୍ରତିଷ୍ଠା ଦିବସ ପାଳିବ ରାଜ୍ୟର ସର୍ବ ପୁରାତନ ବିଶ୍ବବିଦ୍ୟାଳୟ । ଏହି ଗୌରବମୟ ଅବସରରେ ଭୁବନେଶ୍ଵର AIIMS ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ଓ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨ ଘଣ୍ଟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେବା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଆସନ୍ତା ଡିସେମ୍ବର ୧୬ ତାରିଖ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ଅନୁମତି ମିଳିପାରିନାହିଁ । ତେବେ ଅନୁମତିକୁ ଅପେକ୍ଷା ରହିଥିବା କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । କୁଳପତି କହିଛନ୍ତି, "ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି । ସମ୍ପୂର୍ଣ୍ଣ ଭାବରେ କ୍ୟାମ୍ପସ ଡିଜିଟାଲାଇଜ କରାଯାଉଛି । ଏହା ସହ ରିସର୍ଚ ଆଣ୍ଡ ଡେଭଲ୍ପମେଣ୍ଟ ଦିଗରେ ଅଧିକ ଗୁରୁତ୍ଵ ଦିଆଯାଉଛି ।"