ଭୁବନେଶ୍ବର :ଚଳିତବର୍ଷ ବିଏମସି ଆଣୁଛି ୬୯୦ କୋଟିର ବଜେଟ । ଥଇଥାନ ହେବେ ଉଠା ଦୋକାନୀ । ବକେୟା ରାଜସ୍ବ ଆଦାୟ ପାଇଁ ଅଣ୍ଟା ଭିଡ଼ିଲା ବିଏମସି । ଖର୍ଚ୍ଚ ସହ ଆୟ କରିବାକୁ ରଖିଛି ଲକ୍ଷ୍ୟ । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଏମସି ପ୍ରସ୍ତୁତ କରିଲା ୬୯୦ କୋଟି ୨ ଲକ୍ଷ ଟଙ୍କାର ଚିଠା । ଶୁକ୍ରବାର ହୋଇଥିବା କର୍ପୋରେସନ ବୈଠକରେ ଏନେଇ ନିଷ୍ପତି ହୋଇଛି । ଏଥିରେ ମୁଖ୍ୟତଃ ବିଭିନ୍ନ ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦିଆଯାଇଛି ।
ସହରାଞ୍ଚଳବାସୀଙ୍କୁ ଉତ୍ତମ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି ବିଏମ୍ସି । ସହରର ସମସ୍ତ ସମ୍ପଦ କେନ୍ଦ୍ରରେ ସିସିଟିଭି କ୍ୟାମେରା, ଉଠା ଦୋକାନୀଙ୍କ ଥଇଥାନ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭଳି ସମସ୍ତ ସହରୀ ସୁବିଧା ପାଇଁ ଦିଆଯିବ ଗୁରୁତ୍ଵ । ଏଭଳି କହିଛନ୍ତି ବିଏମ୍ସି ମେୟର । ଚଳିତଥର ବିଭିନ୍ନ ପ୍ରକଳ୍ପ ପାଇଁ ମୋଟା ଅଙ୍କର ବ୍ୟୟ ବରାଦ ଲକ୍ଷ୍ୟ ରଖିଛି ବିଏମସି । ଏହା ସହିତ ଆୟ ବୃଦ୍ଧି ପାଇଁ ମଧ୍ୟ ଯୋଜନା କରିଛି ।
ବିଭିନ୍ନ ରାଜସ୍ୱ ଓ ଅନ୍ୟାନ୍ୟ ଅର୍ଥ ମିଶାଇ ଆସନ୍ତା ଆର୍ଥିକ ବର୍ଷରେ ବିଭାଗ ୭୦୮ କୋଟି ୫୪ ଲକ୍ଷ ଟଙ୍କା ଆୟ କରିବାକୁ ବିଭାଗ ଲକ୍ଷ୍ୟ ରଖିଥିବା କହିଛନ୍ତି ମେୟର । ତେବେ ଏଥିପାଇଁ ବଜେଟ ଚିଠା ଆଗତ ହୋଇଛି । ଯଦି ଏହି ବଜେଟ ଉପରେ କିଛି ଆପତି ଥାଏ ତେବେ ଆସନ୍ତା କର୍ପୋରେସନ ବୈଠକ ସୁଦ୍ଧା ପରାମର୍ଶ ଓ ସଂଶୋଧନ କରିବାକୁ ପରାମର୍ଶ ଦେବାକୁ କୁହାଯାଇଛି । ଏହାସହ ପରବର୍ତ୍ତୀ ବୈଠକରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ସହିତ ଏହା ମାର୍ଚ୍ଚ ମାସ ସୁଦ୍ଧା ସରକାରୀ ଅନୁମୋଦନ ପାଇବାର ବିଧି ରହିଛି ବୋଲି କହିଛନ୍ତି ମେୟର ସୁଲୋଚନ ଦାସ ।