ଭୁବନେଶ୍ବର:ଫେବୃୟାରୀ ୯ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ ୬୬୨ ବର୍ଗ କଲେଜ ସଂଘର ଅଧ୍ୟାପକ ଓ ଅଧ୍ୟାପିକା । କ୍ୟାବିନେଟ ବୈଠକରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ସ୍ଥିରୀକୃତ ପଦ୍ଧତିକୁ ବିରୋଧ କରି ଆନ୍ଦୋଳନ କରିବ ନିଖିଳ ଓଡିଶା ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ । ଗତ ୨୦୨୨ ଡ଼ିସେମ୍ବର ୩୦ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅବିକଳ ସପ୍ତମ କମିଶନ ବେତନ ଆଧାରରେ ଦରମା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା । ଏହାକୁ ଭିତ୍ତିକରି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ମଧ୍ୟ କରିଥିଲା । ତଦନୁସାରେ ସମାନ କାମ ପାଇଁ ସମାନ ହାରରେ ୧ ବର୍ଷ ଧରି ଦରମା ଦିଆଯାଉଥିଲା । ହେଲେ କ୍ୟାବିନେଟରେ କିଛି କର୍ମଚାରୀଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ଦରମାରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି ।
ସମାନ କାମ ପାଇଁ ସମାନ ଦରମା ନଦେଇ କିଛି ଅଧ୍ୟାପକ ଓ କର୍ମଚାରୀଙ୍କୁ ୧୦ ହଜାର ଅଧିକ ଦରମା ଘୋଷଣା କରାଯାଇଛି । ଏହାକୁ ନେଇ ଅଧ୍ୟାପକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଏଥିରେ ୪୨୦୦ ଗ୍ରେଡ଼ ପେ ପାଉଥିବା ୪୮୮ ବର୍ଗର ପିଇଟି ଲାଇବ୍ରେରିଆନ ଓ ଆଡମିନଷ୍ଟ୍ରେସନ ଅଧିକାରୀଙ୍କ ଠାରୁ ୬୬୨ ବର୍ଗ କଲେଜ ଅଧ୍ୟାପକଙ୍କୁ କମ ଦରମା ଦିଆଯାଉଥିବା କହିଛି ସଂଘ । ଖାଲି ସେତିକି ନୁହେଁ ନିଯୁକ୍ତିରେ ବରିଷ୍ଠ ଓ ସମାନ ପଦ୍ଧତିରେ ନିଯୁକ୍ତି ପାଇଥିଲେ ମଧ୍ୟ ଏହି ଅଧ୍ୟାପକଙ୍କୁ ଅଣଦେଖା କରାଯାଉଛି । ଏହାକୁ ନେଇ ସଂଘ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ ପାଇଛି ।