ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରିବେ 662 ବର୍ଗ ଅଧ୍ୟାପକ । ପରୀକ୍ଷା ଖାତା ମୂଲ୍ୟାଙ୍କନରେ ସହଯୋଗ କରିବା ସହ ପ୍ରତୀକ ଧାରଣା ଜାରି ରହିବ । ଏନେଇ 662 ବର୍ଗ କଲେଜ ଅଧ୍ୟାପକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବାରମ୍ବାର ସରକାରଙ୍କ ପାଖରେ ଅଧ୍ୟାପକ ସଂଘ ବିଭିନ୍ନ ଦାବି ଗୁଡ଼ିକକୁ ଉପସ୍ଥାପନ କରୁଥିବାବେଳେ ପ୍ରତିଶ୍ରୁତି ପରେ ପ୍ରତିଶୃତି ଦାବି ପୂରଣ କରିନଥିବା ଅଧ୍ୟାପକ ସଂଘ ଅଭିଯୋଗ କରିଛି ।
ଗୁରୁବାର ଦିନ ମୁହଁରେ କଳାପଟି ବାନ୍ଧି 662 ବର୍ଗ କଲେଜ ଅଧ୍ୟାପକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଅପରାହ୍ନରେ ଶତାଧିକ ଅଧ୍ୟାପକ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜିରେ ପ୍ରତିବାଦ କରିଥିଲେ । ସଂଘ ପକ୍ଷରୁ କୁହାଯାଇଥିଲା ଯେ, "ମନ୍ତ୍ରୀସ୍ତରୀୟ କମିଟି ବସି ସମସ୍ତ ଦାବି ପୂରଣ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ଆଲୋଚନା ପରେ ଅଧ୍ୟାପକ ମାନେ ଯୁକ୍ତ ଦୁଇ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ଦାବି ପୂରଣ କରାଯାଇ ନାହିଁ । ଆଗକୁ ପରୀକ୍ଷା ମୂଲ୍ୟାଙ୍କନ ରହିଛି । ଏହା ପୂର୍ବରୁ ପୁଣିଥରେ ଆରମ୍ଭ ଆନ୍ଦୋଳନ ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ଠାରୁ ସେହି ପ୍ରତିଶୃତି ମିଳିଲା । ଖୁବଶୀଘ୍ର ଦାବି ପୂରଣ ହେବ, ଖାତା ଦେଖାରେ ସହଯୋଗ କରିବା ପାଇଁ ସରକାର କହିଛନ୍ତି । ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଦାବି ରହିଥିଲେ ମଧ୍ୟ ଖାତା ଦେଖିବାରେ ସହଯୋଗ କରିବୁ ।" ଆସନ୍ତା 10 ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ମୂଲ୍ୟାଙ୍କନରେ ସହଯୋଗ କରିବେ ବୋଲି କହିଛନ୍ତି ସଂହାର ସଭାପତି ଗୋଲକ ନାୟକ ।