ଭୁବନେଶ୍ବର:ଦାବି ପୂରଣ ନହେଲେ ମୂଲ୍ୟାଙ୍କନ ବର୍ଜନ ଧମକ । କଳା ପଟି ବାନ୍ଧି ପ୍ରତିବାଦ କଲେ ହଜାର ହଜାର ଅଧ୍ୟାପକ ଓ କର୍ମଚାରୀ । ଯଦି ଯୁକ୍ତ ଦୁଇ ମୂଲ୍ୟାଙ୍କନ ପୂର୍ବରୁ ଦାବି ପୂରଣ ନ କରନ୍ତି ତେବେ ମୂଲ୍ୟାଙ୍କନ ବର୍ଜନ କରିବାକୁ ଧମକ ଦେଇଛି ୬୬୨ ବର୍ଗ କଲେଜ ସଂଘ । ଏନେଇ ୬୬୨ ବର୍ଗ କଲେଜ ସଂଘର ହଜାର ହଜାର ସଂଖ୍ୟାର ଅଧ୍ୟାପକ ଓ କର୍ମରୀମାନେ ଗତକାଲି ଏକ ବିଶାଳ ଶୋଭାଯାତ୍ରାରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ଲୋୟର ପିଏମଜିରେ ସରକାରଙ୍କ ଉଦାସୀନତାର ତୀବ୍ର ପ୍ରତିବାଦ କରିଛନ୍ତି । ଦୀର୍ଘ ୫୩ ଦିନର ଅହୋରାତ୍ର ଧାରଣା ପରେ ଗତକାଲି ଏକ ଅଭିନବ ଢଙ୍ଗରେ ସମସ୍ତେ ମୁହଁରେ କଳାପଟି ବାନ୍ଧି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।
ଗତ ଫେବୃୟାରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଅହୋରାତ୍ର ଆନ୍ଦୋଳନର 15 ଦିନ ପରେ ସରକାର ଆଲୋଚନାକୁ ଡାକିଥିଲେ । ମାର୍ଚ୍ଚ ୧୦ ରୁ ୧୨ ତାରିଖ ମଧ୍ୟରେ ମନ୍ତ୍ରୀସ୍ତରୀୟ କମିଟି ବସି ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଲୋଚନାରେ ମନ୍ତ୍ରୀ ସ୍ତରୀୟ କମିଟିର ଚେୟାରମ୍ୟାନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ଆଲୋଚନା ପରେ ରାଜ୍ୟରେ +୨ ପରୀକ୍ଷାକୁ ଅଧ୍ୟାପକମାନେ ସୂଚାରୁରୂପେ ପରିଚାଳନା କଲେ କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଆଲୋଚନା ନ କରି ନୀରବ ହୋଇ ବସି ରହିଛନ୍ତି । ଯାହାକୁ ନେଇ ତୀବ୍ର ଆନ୍ଦୋଳନ ରୂପ ନେବାରେ ବସିଛି ।