ଭୁବନେଶ୍ବର:ଚମକିବ ପ୍ରାଥମିକ ବିଦ୍ୟାଳୟ । ହାଇସ୍କୁଲ ପରେ ପ୍ରାଥମିକ ବିଦ୍ୟାଳୟ ରୂପାନ୍ତରଣକୁ ଗୁରୁତ୍ବ । ମୋ ସ୍କୁଲ୍ ଅଭିଯାନରେ ରାଜ୍ୟର ୫୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତୀକରଣ ହେବ । ୧୧ତମ ‘ମୋ ସ୍କୁଲ୍’ ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ‘ମୋ ସ୍କୁଲ୍’ ପ୍ରକଳ୍ପଗୁଡି଼କର ସାମାଜିକ ସମୀକ୍ଷାକୁ ବ୍ୟାପକ କରାଯିବ । 5 ହଜାର 195 ପ୍ରାଥମିକ ସ୍କୁଲର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ । ୪ ମାସ ମଧ୍ୟରେ ୧୫ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ‘ମୋ ସ୍କୁଲ୍’ ପରିଚାଳନା ପରିଷଦ ବୈଠକ ପରେ ସୂଚନା ମିଳିଛି ।
ରାଜ୍ୟର ୫ ହଜାର ୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ କରାଯିବ ସହ ରାଜ୍ୟର ସମସ୍ତ ବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ ତଥା ଗୁଣାତ୍ମକ ଶିକ୍ଷା ଦିଆଯିବ ସେ ନେଇ ବିଭିନ୍ନ ଦିଗ ଉପରେ 'ମୋ ସ୍କୁଲ ଅଭିଯାନ’ ପରିଚାଳନା ପରିଷଦର ୧୧ତମ ବୈଠକ ଆଲୋଚନା ହୋଇଛି। ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗଚୀ କହିଛନ୍ତି ଯେ, ''ସାମାଜିକ ସମୀକ୍ଷା ହିଁ ବିଦ୍ୟାଳୟର ପ୍ରକଳ୍ପ ମାନଙ୍କର ସ୍ୱଚ୍ଛତା ବଜାୟ ରଖିପାରିବ । ସରକାରଙ୍କ ସମୀକ୍ଷା ଅବିରତ ରହିବ ନିଶ୍ଚୟ କିନ୍ତୁ ସ୍ଥାନୀୟ ବ୍ୟକ୍ତିମାନେ ବିଦ୍ୟାଳୟର ଉନ୍ନତି, ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ନେଇ ଅଧିକ ସଚେତନ ରହିବା ଆବଶ୍ୟକ ।''
ବୈଠକରେ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟମାନଙ୍କର ଭିତ୍ତିଭୂମିରେ କିଭଳି ଉନ୍ନତି କରାଯିବ, ତାହା ନେଇ ବ୍ୟାପକ ଆଲୋଚନା ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୫୧୯୫ ବିଦ୍ୟାଳୟର ଉନ୍ନତିକରଣ କରାଯିବ । ଏଥିପାଇଁ ପୁରାତନ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଷ୍ଠାନମାନଙ୍କର ଅନୁଦାନ ସହିତ ସରକାରଙ୍କ ଦୁଇ ଗୁଣ ଆର୍ଥିକ ସହାୟତା ଦ୍ଵାରା କାର୍ଯ୍ୟ ଆଗକୁ ବଢ଼ିବ । ସମଗ୍ର ଆର୍ଥିକ ଅନୁଦାନରେ ବିଦ୍ୟାଳୟମାନଙ୍କର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ ।