ଭୁବନେଶ୍ବର:ଆଜିଠୁ ଦୁଇ ଦିନିଆ ଗସ୍ତରେ ଓଡିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଥିଲେ । ଭୁବନେଶ୍ବରରେ ତାଙ୍କର ରାମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ତେଣୁ ତାଙ୍କୁ ବିଶ୍ବବିଦ୍ୟାଳୟରେ ଦେଖା କରିବା ପାଇଁ ତାଙ୍କର ଅନେକ ଶୁଭେଚ୍ଛୁ ଅପେକ୍ଷା କରି ରହିଥିଲେ । କିଏ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିବାକୁ ଠିଆ ହୋଇଥିବା ବେଳେ କିଏ ତାଙ୍କୁ ଉପହାର ଦେବା ନେଇ ଅପେକ୍ଷା କରିଥିଲେ । ଏହାରି ଭିତରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ସ୍କୁଲରୁ ସିଧା ଧାଇଁଆସିଥିଲେ ରମାଦେବୀ ବିଶ୍ବବିଦ୍ୟାଳୟ ପାଖକୁ । ଏହା ସହିତ ସେ ହାତରେ ଧରିଥିଲେ ମହାମହିମଙ୍କ ହାତ ତିଆରି ଚିତ୍ର । ଏହା ସହିତ ଯାଜପୁରରୁ କଳାକାର 4କିଲୋ ଦେଶୀ ପାଟଣି ଧାନରେ 3/4 ଫୁଟର ଏକ କୋଣାର୍କ ମନ୍ଦିରର ପ୍ରତିକୃତି ନିର୍ମାଣ କରି ରାଷ୍ଟ୍ରପତିଙ୍କୁ ଉପହାର ଦେବା ଆଶାରେ ଅପେକ୍ଷା କରିଥିବାର ନଜର ଆସିଥିଲା ।
ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ପ୍ରଥମ ଥର ନିଜ କଲେଜ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଦୁଇଦିନିଆ ଓଡିଶା ଗସ୍ତର ପ୍ରଥମ ଦିନରେ ଆଜି ଅପରାହ୍ନ ୪ଟା ୧୫ ସମୟରେ ରାଷ୍ଟ୍ରପତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପହଞ୍ଚିଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିଥିଲେ ।