ଓଡିଶା

odisha

ETV Bharat / state

ଭାରତୀୟ ସିନେମା ଉତ୍ସବରେ ପ୍ରଦର୍ଶିତ ହେବ ୪୩ଟି ସିନେମା - ସିନେମା ଉତ୍ସବରେ ପ୍ରଦର୍ଶିତ ହେବ ୪୩ଟି ସିନେମା

ଭାରତୀୟ ସିନେମା ଉତ୍ସବ । ଏହି ଉତ୍ସବରେ ପ୍ରସାରିତ ହେବ ୪୩ ଟି ଫିଲ୍ମ । ଅଧିକ ପଢ଼ନ୍ତୁ

43 films to be screened
ପ୍ରଦର୍ଶିତ ହେବ ୪୩ଟି ସିନେମା

By

Published : Jan 25, 2023, 12:43 PM IST

ପ୍ରଦର୍ଶିତ ହେବ ୪୩ଟି ସିନେମା

ଭୁବନେଶ୍ୱର:ଭୁବନେଶ୍ୱର ଭାରତୀୟ ସିନେମା ଉତ୍ସବ(ଆଇଏଫ୍‌ଏଫ୍‌ବି)ର ଦ୍ୱାଦଶ ସଂସ୍କରଣ ଜାନୁଆରୀ ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଓଡ଼ିଶାୀ ଡ୍ୟାନ୍ସ ରିସର୍ଚ ସେଣ୍ଟର୍‌ରେ ଚାଲିବ । ଏହି ବହୁ ପ୍ରତିକ୍ଷୀତ ସିନେମା ଉତ୍ସବରେ ଗୋଟିଏ ଛାତ ତଳେ ଅନେକ କାହାଣୀ ବର୍ଣ୍ଣନା କରାଯିବ । ଯାହା ଦେଶର କଳା, ଜୀବନଶୈଳୀ ଓ ସଂସ୍କୃତିକୁ ପ୍ରଦର୍ଶିତ କରିବ। ସିନେମା ଉତ୍ସବର ଆଜି ହେଉଛି ଦ୍ୱିତୀୟ ଦିନ। ଟୋନିଭୋ ଥୋମାସି୍‌ଙ୍କ ଅଭିନୀତ ବହୁ ଚର୍ଚ୍ଚିତ ମାଲାୟାଲମ୍ ସିନେମା ଭଝାକ୍ (ଝଗଡ଼ା) ସହ ସିନେମା ଉତ୍ସବର ଶୁଭାରମ୍ଭ ହୋଇଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ମାଲାୟାଲମ ସିନେ ନିର୍ମାତା ସାନାଲ କୁମାର ଶଶିଧରନ ।

ଭଝାକ୍ (ଝଗଡ଼ା):ଏହି ସିନେମା ହେଉଛି ଜଣେ ଯୁବ ଆଇନଜୀବୀଙ୍କ କାହାଣୀ । ଯେଉଁଥିରେ ତାଙ୍କର ବିବାହ ବିଚ୍ଛେଦ ହେବା ଭଳି ସ୍ଥିତି ଉପୁଜିଥିବା ବେଳେ ସେ ଆଉ ଜଣେ ମହିଳା ଓ ଶିଶୁଙ୍କ ସଂସ୍ପର୍ଶରେ ଆସନ୍ତି । ଯାହାର ବିବାହ ଭାଙ୍ଗିଯାଇଛି । ତାଙ୍କୁ ଭେଟିବା ପରେ ଆଇନୀଜୀବଙ୍କ ଜୀବନ ପ୍ରତି ରହିଥିବା ଦୃଷ୍ଟିଭଙ୍ଗୀ ବଦଳିଯାଉଛି । ଏହି ସିନେମା ପ୍ରଦର୍ଶିତ ହେବା ପରେ ଇଶ୍ୱର ମହାନ୍ତିଙ୍କ ସଂଯୋଜନାରେ ନିର୍ଦ୍ଦେଶକଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ସିନେମା ମହୋତ୍ସବର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ କେରଳ ଚଳଚ୍ଚିତ୍ର ଏକାଡେମୀର ଗୋପୀ କ୍ରିଷ୍ଣ ଓ ଫିଲ୍ମ ସୋସାଇଟିର ସଭାପତି ସୁବ୍ରତ ବେଉରା ।

ପ୍ରତିବର୍ଷ କେରଳ ଆନ୍ତର୍ଜାତିକ ସିନେମା ଉତ୍ସବ ଆୟୋଜନ କରୁଛି । ନିଜ ପ୍ରାରମ୍ଭିକ ଅଭିଭାଷଣରେ ଫିଲ୍ମ ସୋସାଇଟିର ସଭାପତି ସୁବ୍ରତ ବେଉରା ବହୁ ବର୍ଷ ଧରି ମିଳୁଥିବା ସହାୟତା ପାଇଁ କେରଳ ଚଳଚ୍ଚିତ୍ର ଏକାଡେମୀକୁ ଧନ୍ୟବାଦ ଜଣାଇଥିଲେ । ନିଜ ବକ୍ତବ୍ୟରେେ ସେ କହିଛନ୍ତି ଯେ, “ଓଡ଼ିଶାରେ ୪୨ ନିୟୁତ ଲୋକ ବାସ କରୁଛନ୍ତି । ଆମେ ହେଉଛେ ଏକମାତ୍ର ସକ୍ରିୟ ଫିଲ୍ମ ସୋସାଇଟି । ତେବେ ଆଶା କରୁଛୁ ଯେ ରାଜ୍ୟର ସହଯୋଗରେ ଏବଂ ସକ୍ଷମ ସିନେମା ନୀତି ଜରିଆରେ ଓଡ଼ିଶାର ସବୁ ଜିଲ୍ଲାରେ ଫିଲ୍ମ ସୋସାଇଟି ସ୍ଥାପନ ହେବ ।

ନ୍ୟାସନାଲ୍ ଫିଲ୍ମ ଆର୍କାଇଭ୍‌ସ ଅଫ୍ ଇଣ୍ଡିଆ (NFAI)କୁ ବନ୍ଦ କରିବା ଲାଗି ଭାରତ ସରକାର ନିଷ୍ପତି ଗ୍ରହଣ କରିବା ଏବଂ ଜାତୀୟ ସିନେମା ବିକାଶ ନିଗମ (NFDC)ର ପୁନର୍ଗଠନ ପରେ ଫିଲ୍ମ ସୋସାଇଟିକୁ ଆଉ କୌଣସି ସହାୟତା ମିଳୁନି । ସିନେମା ସମେତ ଯେକୌଣସି ପ୍ରକାର ଜାତୀୟ ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଶଂସା ପାଇଁ ଆର୍କାଇଭ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଭୁନେଶ୍ୱର ଫିଲ୍ମ ସୋସାଇଟି କାଳ୍ପନିକ ସିନେମା ଉତ୍ସବର ୧୨ଟି ସଂସ୍କରଣ ଏବଂ ଡକ୍ୟୁମେଣ୍ଟାରୀ ଉତ୍ସବ (IDFFB)ର ତିନୋଟି ସଂସ୍କରଣ ଆୟୋଜନ କରିବାରେ ସଫଳ ହୋଇଛି । ୨୦୦୪ ପରଠାରୁ ସିନେମା ପ୍ରଦର୍ଶନ କରିବା ଏବଂ ଉତ୍ସବ ଆୟୋଜନ କରିବାର ଅଭିଜ୍ଞତାକୁ ନେଇ ଏହା ରାଜ୍ୟରେ ଫିଲ୍ମ ସୋସାଇଟି ଆନ୍ଦୋଳନକୁ ସମୃଦ୍ଧ କରିବାରେ ସହାୟକ ହେବାକୁ ପ୍ରସ୍ତୁତ ରହିଛି ।

ଭୁବନେଶ୍ୱର ଭାରତୀୟ ସିନେମା ଉତ୍ସବର ଏହି ସଂସ୍କରଣରେ ୪୩ଟି ସିନେମା ପ୍ରଦର୍ଶିତ କରାଯିବ । ସେଥିରୁ ୧୨ଟି ସିନେମାକୁ ଏସଆର୍‌ଏଫ୍‌ଟିଆଇ, ଏଫ୍‌ଟିଆଇଆଇ, ସ୍ରିଷ୍ଟି କଲେଜ, ଏନ୍‌ଆଇଡିି, ବିପିଏଫ୍‌ଟିଆଇଓ ଭଳି ସଂସ୍ଥାର ଛାତ୍ରଛାତ୍ରୀ ତିଆରି କରିଛନ୍ତି । ଛାତ୍ରଛାତ୍ରୀ ସିନେମା ପ୍ରତିଯୋଗିତାରେ ଭାଗ ନେବାକୁ ସାରା ଦେଶର ବିଭିନ୍ନ ଅନୁଷ୍ଠାନରୁ ୮୧ଟି ଆବେଦନ ଆସିଥିଲା । ଯେଉଁଥିରେ ୧୨ଟି ସିନେମାକୁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଚୟନ କରାଯାଇଛି ।

ଉଦଯାପନୀ ସମାରୋହରେ ଏହାର ବିଜେତାଙ୍କ ନାମ ଘୋଷଣା କରାଯିବ । ଉତ୍ସବର ଅଂଶ ହୋଇଥିବା ବହୁ ସିନେମା ମାମି, ଆଇଏଫଏଫ୍‌କେ, ଧର୍ମଶାଳା, ବୁସାନ, ତାଲିନ୍‌, ରୋଟରଡ୍ୟାମ୍ ଓ ସାନ୍ ସେବାଷ୍ଟିଆନ୍ ଭଳି ସିନେମା ଉତ୍ସବରେ ପ୍ରଶଂସିତ ହୋଇଥିଲେ । ଏଥିରେ କାଶ୍ମୀରଠାରୁ ଉତ୍ତର ପୂର୍ବାଞ୍ଚଳ ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରାନ୍ତର ଯୁବ ସିନେମା ନିର୍ମାତାମାନଙ୍କୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଉତ୍ସବର ପ୍ରମୁଖ ଆକର୍ଷଣ ହେଉଛି ସିମ୍‌ଲା, ଦରଭଙ୍ଗା, ବାରାଣାସୀ ଓ କାଶ୍ମୀର ଭଳି ଅଞ୍ଚଳରୁ ଆସିଥିବା ପ୍ରଥମ ସିନେମା ।

ସେହି ଅଞ୍ଚଳର ସିନେମାଗୁଡ଼ିକ ହେଉଛି ଅମର କଲୋନି, ପୋଖର କେ ଦୁନୁ ପାର, ଝିନି ଭିନି ଚନ୍ଦରିୟା ଏବଂ ଚେସ ନେ ଭେଟ୍ । କାହାଣୀକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିବା ଏବଂ ଲୋକଙ୍କ ସହିତ ଗଭୀର ଭାବେ ଯୋଡ଼ି ହୋଇରହିଥିବାରୁ ଏହି ସିନେମା ଗୁଡ଼ିକ ଉଚ୍ଚ ପ୍ରଶଂସିତ ହୋଇଛି । ମଣିପୁରର ହାଓବାମ ପବନ କୁମାର ଓ ରୋମି ମାଇତେଇଙ୍କ ଦୁଇଟି ସିନେମାକୁ ମଧ୍ୟ ପ୍ରଦର୍ଶିତ କରାଯିବ ।

ଭୁବନେଶ୍ୱରର ସିନେ ପ୍ରେମୀମାନେ ପ୍ରବାସୀ ଶ୍ରମିକ, ରୋଷେଇ ଘରେ ଅତ୍ୟାଚାର, ପ୍ରତିବାଦର ସମସ୍ୟା ଭଳି କାହାଣୀକୁ ନେଇ ସମସାମୟିକ ମାଲାୟାଲମ ସିନେମାଗୁଡ଼ିକରେ ନିଜକୁ ହଜାଇ ଦେଇପାରିବେ । ଭାରତୀୟ ସିନେମା ଦୁନିଆର କିମ୍ବଦନ୍ତୀ ସତ୍ୟଜିତ ରାୟଙ୍କ ୧୯୫୦ରୁ ୧୯୯୧ ପର୍ଯ୍ୟନ୍ତର ସିନେମାକୁ ଏହି ଉତ୍ସବରେ ପ୍ରଦର୍ଶିତ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

୭ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ସିନେମା ଉତ୍ସବରେ ତାଙ୍କର ଚର୍ଚ୍ଚିତ ସିନେମା ପଥେର ପାଂଚୋଲି, ଅପରାଜିତା, ଅପୁର ସଂସାର, ମହାନଗର, ଚାରୁଲତା, ପ୍ରତିଦ୍ୱନ୍ଦ୍ୱୀ, କାପୁରୁଷ, ସୀମାବଦ୍ଧ ଓ ଆଗନ୍ତୁକକୁ ପ୍ରଦର୍ଶିତ କରାଯିବ । ନିର୍ଦ୍ଦେଶକମାନଙ୍କ କଳାତ୍ମକ ପ୍ରଥା ଏବଂ କାମ କରିବାର ଶୈଳୀ ଉପରେ ଏହି ଅଧିବେଶନ ଗୁଡ଼ିକ ପର୍ଯ୍ୟବେଷିତ ରହିବ । ଯାହା ସିନେମାରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ଓ ସଦସ୍ୟମାନଙ୍କ ଲାଗି ହେଉଛି ଅମୂଲ୍ୟ ସମ୍ବଳ ।

କେରଳ ଚଳଚ୍ଚିତ୍ର ଏକାଡେମୀ ଓ କଲେକ୍ଟିଭ୍ କ୍ରାଫ୍ଟ ସହଯୋଗିତାରେ ଏହି ସିନେମା ଉତ୍ସବ ଆୟୋଜନ କରାଯାଉଛି । ଏହି ସିନେମା ଉତ୍ସବରେ ହାଓବାମ ପବନ କୁମାରଙ୍କ ନାଇନ୍ ହିଲ୍‌ସ ଆଣ୍ଡ୍ ୱାନ୍ ଭ୍ୟାଲି, ସାନାଲ କୁମାର ଶଶିଧରନର ଦି କ୍ୱାରେଲ୍‌, ଦେବାଶିଷ ମଖିଜାଙ୍କ ସାଇକଲ ଓ ଚିପାଟାକାଡୁମ୍ପ, ଦେବଲିନା ମଜୁମଦାରଙ୍କ ଇଫ୍ ୟୁ ଡେୟାର ଡିଜାୟାର, ସିଦ୍ଧାର୍ଥ ଚୌହ୍ୱାନଙ୍କ ଅମର କଲୋନୀ, ମହେଶ ନାରାୟଣନଙ୍କ ଡିକ୍ଲାରେସନ, କମଲ କେଏମ୍‌ଙ୍କ ପାଦ, ପ୍ରକାଶ ଚନ୍ଦ୍ରାଙ୍କ ଚେସ୍ ନେ ଭେଟ୍‌, ଅଭିନନ୍ଦନ ବାନାର୍ଜୀଙ୍କ ମାନିକ୍ ବାବୁର ମେଘ, ଜୋଏ ବେବିଙ୍କ ଦି ଗ୍ରେଟ୍ ଇଣ୍ଡିଆନ କିଚେନ୍‌, ଗୌତମ ଆରଙ୍କ ଗରହି, ଗୁରବିନ୍ଦର ସିଂହଙ୍କ ଆଜ ଚନାନି ରାତ, ଅରୁଣ କାର୍ତ୍ତିକଙ୍କ ନାସିର, ଅବଦୁଲ ମଜିଦ କେବିଙ୍କ ଆପନ୍‌, ରୋମି ମାଇତେଇଙ୍କ ଆୱାର ହୋମ୍ ଏବଂ ରିତେଶ ଶର୍ମାଙ୍କ ଝିନିଭିନି ଚନ୍ଦରିୟା ପ୍ରଦର୍ଶିତ କରାଯିବ ।

ସେହିପରି, ଆଦିତ୍ୟ ବିକ୍ରମ ସେନଗୁପ୍ତାଙ୍କ ୱାନସ ଅପନ ଏ ଟାଇମ୍ ଇନ୍ କୋଲକାତା, ବାବୁ ଇଶ୍ୱର ପ୍ରସାଦଙ୍କ ହାରିଭା ନାଡିଗେ ମାଇୟେଲା କାଲୁ ଏବଂ ଏକତାରା କଲେକ୍ଟିଭ୍‌ସର ଏକ୍ ଜଗହ ଆପ୍‌ନିକୁ ପ୍ରଦର୍ଶିତ କରାଯିବ । ଆଇଏଫ୍‌ଏଫ୍‌ବି ପକ୍ଷରୁ ପ୍ରଥମ ଥର ପାଇଁ ସିନେମା ଲେଖା ଉପରେ ପ୍ରତିଯୋଗିତା ଆୟୋଜନ କରାଯିବ । ଯାହାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ସିନେମା ଦେଖିବାକୁ ଆମନ୍ତ୍ରଣ କରିବା ଏବଂ ସେମାନଙ୍କୁ ସିନେମା ସହିତ ଯୋଡ଼ି ଏହା ଜରିଆରେ ଭାବ ପରିପ୍ରକାଶ କରିବାକୁ ଉତ୍ସାହିତ କରିବା ।

ସେପଟେ ଏହି ସିନେମା ଉତ୍ସବ ଏକମାତ୍ର ଓଡ଼ିଆ ସିନେମା ଆମା ଲଜ୍‌ ସ୍ଥାନିତ ହୋଇଛି । ଯେଉଁଥିରେ ପୁଅ ତା ବାପାଙ୍କର ଶେଷ ସ୍ମୃତି ବା ଚିତା ଭସ୍ମକୁ ବିସର୍ଜନ ପାଇଁ ଯାଇଛି । କିନ୍ତୁ ଶେଷ ସ୍ମୃତି ହୋଇଥିବାରୁ ତାହା ସେ ପାଣିରେ ବିସର୍ଜନ କରୁନାହିଁ । ଏହି ପବିତ୍ର କାମ ପାଇଁ ଯେଉଁ ଲଜ୍‌ରେ ସେ ରହିଛି ତାର ମାଆ ନାଁରେ ହିଁ ସିନେମାର ନାମ ହୋଇଛି । କିଭଳି ପୁଅର ମନ ପରିବର୍ତ୍ତନ ହୋଇଛି ଓ ସେ ବାପାଙ୍କର ଚିତାଭସ୍ମକୁ ପାଣିରେ ବିସର୍ଜନ କରିଛି । ବାପାଙ୍କ ଆତ୍ମାକୁ ମୁକ୍ତି ଦେଇଛି ତାହା ହିଁ ବର୍ଣ୍ଣନା କରାଯାଇଛି । ଆଉ ଏହି ସିନେମାଟି ଏକ ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ନିଶ୍ଚୟ ଲୋକଙ୍କୁ ଭଲ ଲାଗିବ ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details