ଭୁବନେଶ୍ବର: ରାଜଧାନୀର ପଟିଆ ଷ୍ଟେସନରୁ ଶିଶୁ ଅପହରଣ ଘଟଣାରେ ଟ୍ବିଷ୍ଟ । ଅପହରଣ ନୁହେଁ ଥିଲା ଏକ ସୁଚିନ୍ତିତ ନାଟକ । ଛୁଆକୁ କଟକ ମଧୁପାଟଣାରୁ ଉଦ୍ଧାର କରାଯାଇଛି । ପାରିବାରିକ କଳହକୁ ସମାଧାନ ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ଷଡ଼ଯନ୍ତ୍ରକାରୀ ସାଜିଥିଲେ ଦୁଇ ମିଡିଲମ୍ୟାନ । ଏନେଇ ଅପହରଣର ମିଛ ଅଭିଯୋଗ ଓ ପୋଲିସକୁ ଭୂଆଁ ବୁଲାଇବା ଅଭିଯୋଗରେ ଦୁଇ ମିଡିଲମ୍ୟାନ ସମେତ ମୋଟ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।
ସୂଚନା ମୁତାବକ, ଗତକାଲି(ମଙ୍ଗଳବାର) ପଟିଆ ଷ୍ଟେସନରୁ ଅପହରଣକାରୀ ଏକ କାର ଯୋଗେ ଆସି ଜଣେ ବ୍ୟକ୍ତିଙ୍କ ହାତରୁ ତାଙ୍କର ୧୧ ମାସର ଛୁଆକୁ ଅପହରଣ କରି ନିଆଯାଇଥିଲେ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ । ପୋଲିସ ଏହି ଘଟଣାକୁ ଗୁରୁତ୍ବ ସହ ନେଇ ଅପହରଣ ମାମଲାର ତନାଘନା ଆରମ୍ଭ କରିଥିଲା । ଘଟଣାକୁ ନେଇ ପୋଲିସ ଭୁବନେଶ୍ୱର ବିଭିନ୍ନ ଥାନାକୁ ଅବଗତ କରାଇବା ସହ ତୁରନ୍ତ ଅଭିଯୋଗକାରୀ ଦେଇଥିବା ସୂଚନା ଆଧାରରେ ଛୁଆକୁ ଖୋଜିବା ସହ ଅପହରଣ କରାଯାଇଥିବା କାର ଏବଂ ଅପହରଣକାରୀଙ୍କୁ ଖୋଜିବାକୁ ପ୍ରୟାସ ଆରମ୍ଭ କରିଥିଲା ।
ସେପଟେ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ସହ ରାସ୍ତାରେ ଚେକିଂ କରି ତଦନ୍ତକୁ ଜୋରଦାର କରିଥିଲା । ତେବେ ଘଟଣାର ତଦନ୍ତ ବେଳେ ଅପହରଣର ସନ୍ଦେହ ଛୁଆର ମାଆ ବିବାହ କରିଥିବା ପ୍ରଥମ ସ୍ବାମୀ ଆଡ଼କୁ ଯାଇଥିଲା । ଏନେଇ ପୋଲିସ ମହିଳଙ୍କର ବିବାହ ଓ ସମ୍ପର୍କ ନେଇ ଖୋଳତାଡ଼ କରୁ କରୁ ଜଣା ପଡ଼ିଥିଲା ଯେ, ମହିଳା ଜଣଙ୍କ ୧୦ ବର୍ଷ ତଳେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ପରେ ତାଙ୍କର କୌଣସି ଛୁଆ ନହେବାରୁ ସେ ପରେ ଉଭୟ ଅଲଗା ରହିଥିଲେ । ପରେ ମହିଳା ଜଣଙ୍କ ଦେଢ଼ ବର୍ଷ ତଳେ ଆଉ ଜଣେ ବ୍ୟକ୍ତିଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଏନେଇ ଦ୍ବିତୀୟ ସ୍ବାମୀଙ୍କର ଗୋଟିଏ ୧୧ ମାସର ଛୁଆ ମଧ୍ୟ ଥିଲା । ତେବେ ଦ୍ବିତୀୟ ସ୍ବାମୀ ସହ ମଧ୍ୟ ଗତ କିଛି ଦିନ ହେବ ପୁଣି ଝଗଡ଼ା ଆରମ୍ଭ ହୋଇଥିଲା । ଏନେଇ ମହିଳା ଜଣଙ୍କୁ ତାଙ୍କ ପ୍ରଥମ ସ୍ବାମୀ ଆପଣାଇବାକୁ ଚାହୁଁଥିଲେ ।